Blog

blog-image-sp-two

ଅଭିନନ୍ଦନ ଗଜାନନ

ସୌମ୍ୟରଂଜନ ପଟ୍ଟନାୟକ: ଗଜାନନ ମିଶ୍ର ଓ ତାଙ୍କର ଦୁଇ ସହଯୋଗୀ ଓଡ଼ିଆ ଭାଷା ସଂଗ୍ରାମ ସମିତି ତରଫରୁ ପାଞ୍ଚଦଫା ଦାବି ନେଇ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଗଜାନନ ମିଶ୍ର ବହୁ ବର୍ଷ ଧରି ଆମ ଅଦାଲତର ଭାଷା ଓଡ଼ିଆ ହେଉ ବୋଲି ଦାବି କରି ଆସୁଥିଲେ। ଗତମାସ ଓଡ଼ିଆ ଭାଷା ସଂଗ୍ରାମ ସମିତି ଏହି ଆନ୍ଦୋଳନକୁ ଅଧିକ ବ୍ୟାପକ କରି ଧାରଣାରେ ବସିଥିଲେ। ଜୁନ୍ ମାସ ଶେଷ ସୁଦ୍ଧା ଦାବିଗୁଡ଼ିକ ଗ୍ରହଣ ନହେଲେ ସେ ଅନଶନ କରିବେ ବୋଲି ସୂଚନା ଦେଇଥିଲେ। ଗଜାନନଙ୍କ ଆମରଣ ଅନଶନ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଲଜ୍ଜାର ବିଷୟ। ଓଡ଼ିଶା ହିଁ ସମ୍ଭବତଃ ଏକମାତ୍ର ରାଜ୍ୟ ଯେଉଁଠି ନିଜ ଭାଷାର ସୁରକ୍ଷା ପାଇଁ ଆନ୍ଦୋଳନ କରିବାକୁ ପଡୁଛି। ଭାରତର ଅନ୍ୟ କୌଣସି ପ୍ରଦେଶରେ ଏଭଳି ଆନ୍ଦୋଳନ ହେଉଥିବା କଥା ଆମକୁ ଜଣା ନାହିଁ। ଆହୁରି ବିଡ଼ମ୍ବନାର ବିଷୟ ଏହି ଯେ ଭାରତରେ ଓଡ଼ିଶା ହିଁ ସର୍ବପ୍ରଥମେ ଭାଷା ଭିତ୍ତିକ ପ୍ରଦେଶ ହୋଇଥିଲା। ଦିନେ ଓଡ଼ିଆ ଏକ ସ୍ଵତନ୍ତ୍ର ନୁହେଁ ବୋଲି କୁହାଯିବାରୁ ରାଧାନାଥ, ଫକୀରମୋହନ ଓ ଗଙ୍ଗାଧର ଏହାର ସ୍ଵାତନ୍ତ୍ର୍ୟ ପ୍ରମାଣ କରିବା ପାଇଁ ସଂଗ୍ରାମ କଲେ ଏବଂ ସଫଳ ହେଲେ। ଆଜି ପୁଣି ଏତେ ବର୍ଷ ପରେ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ବୋଲି କେନ୍ଦ୍ର ସରକାର ମାନ୍ୟତା ଦେଇଛନ୍ତି। ମନେ ରଖିବାକୁ ପଡ଼ିବ ଯେ ସଂସ୍କୃତ ଛଡ଼ା ଅନ୍ୟ କୌଣସି ଆର୍ଯ୍ୟ ଭାଷା ଏଭଳି ମାନ୍ୟତା ପାଇ ନାହାନ୍ତି। ଏ ସଫଳତା ପାଇଁ ଆମେ ଆନନ୍ଦ ଓ ଉଲ୍ଲାସରେ ଭୋଜିଭାତ କରୁଥିବା ବେଳେ ଭାଷା ସୁରକ୍ଷା ପାଇଁ ଗଜାନନଙ୍କ ଅନଶନ ଅଡୁଆ ଲାଗୁ ନାହିଁ କି?

ଓଡ଼ିଶାରେ କୌଣସି ସାମାଜିକ ଆନ୍ଦୋଳନ ସଫଳତା ନପାଇବା ପଛରେ ଅନେକ ଗୁଡ଼ିଏ କାରଣ ଅଛି। ପ୍ରଥମ ଓ ପ୍ରଧାନ କାରଣ ହେଲା ଆମେ ସଂଗ୍ରାମ କରୁଛୁ ସତ, କିନ୍ତୁ ଶତ୍ରୁ ଚିହ୍ନଟ କରି ପାରୁ ନାହୁଁ। ଶତ୍ରୁ ଚିହ୍ନଟ ହୋଇ ନପାରିଲେ, କୌଣସି ସଂଗ୍ରାମ ସଫଳ ହୁଏ ନାହିଁ। ଓଡ଼ିଆ ଭାଷାର ଶତ୍ରୁ କିଏ, ସେ ବିଷୟରେ ତର୍ଜମା ହେବା ଦରକାର। ଆମ ବିଚାରରେ ଓଡ଼ିଆ ଭାଷାର ଶତ୍ରୁ ବୋଧ ହୁଏ ଆମେ ନିଜେ। ସମାଜର ବିଶିଷ୍ଟ ବର୍ଗ ଯେଉଁ ଭାଷାକୁ ବ୍ୟବହାର କରନ୍ତି, ତାହା ଆପେ ଆପେ ତଳସ୍ତରକୁ ପ୍ରଭାବିତ କରେ। ସେହିପରି ପ୍ରଶାସନ ଓ ନ୍ୟାୟାଳୟରେ ଯେଉଁ ଭାଷା ବ୍ୟବହୃତ ହୁଏ, ତାକୁ ଶିଖିବା ପାଇଁ ଆପେ ଆପେ ଚାପ ପଡ଼େ। ଯେଉଁ ଭାଷା ଶିଖିଲେ ପେଟ ପୋଷିବା ପାଇଁ ଦୁଇ ପଇସା ରୋଜଗାର କରି ହୁଏ, ସେ ଭାଷା ସହ ସ୍ଵାଭାବିକ ଭାବେ ସଂପୃକ୍ତି ବଢ଼େ। ଆମ ଓଡ଼ିଶାରେ ଉପରୋକ୍ତ କୌଣସି ଦୃଷ୍ଟିରୁ ଓଡ଼ିଆ ଭାଷା ଦରକାରୀ ହୋଇ ପାରି ନାହିଁ। ଆମର ଶାସନ ଓ ନ୍ୟାୟାଳୟର ଭାଷା ଓଡ଼ିଆ ନୁହେଁ। ୧୯୫୪ ମସିହାରୁ ଓଡ଼ିଆକୁ ସରକାରୀ ଭାଷା କରା ହୋଇଥିଲେ ମଧ୍ୟ ଏହାର ସେପରି ବ୍ୟବହାର ହେଉ ନାହିଁ। ବର୍ତମାନର ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ଜାଣି ନଥିବାରୁ ଓଲଟା ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଛି। ଏ ବିଷୟରେ ଅନାସକ୍ତ ଆଲୋଚନା କରିବା ପାଇଁ କେହି ପ୍ରସ୍ତୁତ ନୁହନ୍ତି। ଓଡ଼ିଶାର ବିଶିଷ୍ଟ ବର୍ଗ ଓଡ଼ିଆ ଭାଷାକୁ ଆଦୌ ଦରକାରୀ ମନେ କରୁ ନାହାନ୍ତି। ବରଂ ସେମାନଙ୍କ ପାଇଁ ଏହା ଏକ ଅଯଥା ବୋଝ। ସେମାନଙ୍କର ଉତ୍ତର ପିଢ଼ି ଓଡ଼ିଆ ଭାଷା ଠାରୁ ବେଶ୍ ଦୂରକୁ ଠେଲି ହୋଇ ଗଲେଣି। ଓଡ଼ିଆରେ ପଢ଼ିଲେ, ତାଙ୍କ ପିଲାମାନେ ବଜାର ସଭ୍ୟତାର ପ୍ରତିଯୋଗିତାରେ ପଛେଇ ଯିବେ, ଏଭଳି ଗୋଟେ ଧାରଣା ସେମାନଙ୍କ ମନରେ ଜମାଟ ବାନ୍ଧି ବସିଲାଣି। ଏହା ସାଙ୍ଗକୁ ଆଧୁନିକ ବିଜ୍ଞାନ ଓ କାରିଗରୀ କୌଶଳ ମଧ୍ୟ ଆମ ଭାଷା ପାଇଁ କମ୍ ଶତ୍ରୁ ସାଜି ନାହିଁ। ଆମ ପିଲାମାନେ ମୋବାଇଲ୍ ଫୋନ୍, ଇଣ୍ଟରନେଟ୍, ଟୁଇଟର, ଫେସ୍ବୁକ୍ ଆଦି ସୋସିଆଲ ମିଡ଼ିଆ ଯୁଗରେ ଏପରି ଛନ୍ଦି ହୋଇ ଯାଇଛନ୍ତି ଯେ ସେମାନଙ୍କୁ ସେଥିରୁ ମୁକ୍ତ କରିବା ଆଦୌ ସମ୍ଭବ ନୁହେଁ। ତା’ ସହିତ ସନ୍ଧି କରିନେବା ବରଂ ବୁଦ୍ଧିମାନର କାମ। ଆଜି ଭାଷା ସଂଗ୍ରାମ ସମିତିର ସଂଗ୍ରାମୀ ବନ୍ଧୁମାନଙ୍କୁ ଅଭିନନ୍ଦନ ଜଣାଇବା ବେଳେ ଏକଥା ମନେ ପକାଇ ଦେବା ଉଚିତ ମଣୁଛୁ।

ଏବେ ନବକଳେବର ସମୟ। ଜଗନ୍ନାଥଙ୍କ ନବକଳେବର ପରି ଓଡ଼ିଆ ଜାତିର ନବକଳେବର ହେଉ। ଭାଷା ବିନା ଜାତି ନିର୍ମାଣ ସମ୍ଭବ ନୁହେଁ। ଓଡ଼ିଆ ଜାତୀୟ ଜୀବନକୁ ନୂଆ କରି ଗଢ଼ିବାକୁ ହେଲେ ଓଡ଼ିଆ ଭାଷାରୁ ହିଁ ଆରମ୍ଭ କରିବାକୁ ହେବ। କିନ୍ତୁ ଜଗନ୍ନାଥଙ୍କ ନବକଳେବରର ବିଭ୍ରାଟ ପରି ଭାଷା ଆନ୍ଦୋଳନରେ ଯେପରି ବିଭ୍ରାଟ ନହୁଏ ସେଥିପାଇଁ ସମସ୍ତଙ୍କୁ ଯତ୍ନବାନ୍ ହେବାକୁ ପଡ଼ିବ। ଓଡ଼ିଆ ଭାଷା ଆମ ସମସ୍ତଙ୍କର। ଏହା କୌଣସି ନିର୍ଦ୍ଦିଷ୍ଟ ବର୍ଣ, ଧର୍ମ, ଦଳ ବା ଗୋଷ୍ଠୀର ନୁହେଁ। କୌଣସି ବ୍ୟକ୍ତି, ଦଳ ବା ଅନୁଷ୍ଠାନ ଏହାର ବିକାଶରେ ଅନ୍ତରାୟ ସାଜିଲେ ସେମାନଙ୍କୁ ହଟାଇବା ପାଇଁ ଅଣ୍ଟା ଭିଡ଼ିବାକୁ ପଡ଼ିବ। ଆମ ସମସ୍ତଙ୍କୁ ଏପରି ଏକ ସଂକଳ୍ପ ସଂପର୍କରେ ଚେତେଇ ଦେଇଥିବାରୁ ଗଜାନନଙ୍କୁ ଅଭିନନ୍ଦନ। ରାଜଧାନୀ ସହରର ବିଶିଷ୍ଟ ବର୍ଗର ପ୍ରତିନିଧିମାନଙ୍କୁ ଆମର ଗୋଟିଏ ଛୋଟ ନିବେଦନ। ଆସନ୍ତୁ, ଗଜାନନଙ୍କୁ ମାଳାଟିଏ ପିନ୍ଧାଇ ଆମେ ମଧ୍ୟ ଅଭିନନ୍ଦନ ଜଣାଇବା ସହ ଅନୁରୂପ ସଂକଳ୍ପ ନେଇ ଏହି ଅଭିଯାନରେ ସାମିଲ ହେବା।

Comments

Leave a Reply

*

Shares