Blog

odia_prana

ଆମ ଓଡ଼ିଆ ପ୍ରାଣ ଗଲା କୁଆଡ଼େ?

odia_prana

ରାଜନେତାରୁ ରାଷ୍ଟ୍ରନାୟକ ହେବାର ସୁବର୍ଣ୍ଣ ସୁଯୋଗଗୁଡ଼ିକୁ ନବୀନବାବୁ ବାରମ୍ବାର ହାତଛଡ଼ା କରୁଛନ୍ତି। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶାର ସ୍ୱାର୍ଥ ପାଇଁ ସାରା ଓଡ଼ିଶାକୁ ଯୋଡ଼ି ଲଢ଼ିବାର ସୁଯୋଗ ତାଙ୍କୁ ମିଳିଥିଲା। ଏହାଦ୍ୱାରା ସେ ଯେ ଜଣେ ସାଧାରଣ ରାଜନେତା ନୁହନ୍ତି, ବରଂ ଜଣେ ଅନୁକରଣୀୟ ରାଷ୍ଟ୍ରନାୟକ ଏହା ପ୍ରମାଣିତ ହୋଇପାରିଥାଆନ୍ତା। ତାହା ସେ କଲେ ନାହିଁ। ଓଲଟା ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥକୁ ଅଗ୍ରାଧିକାର ଦେଲେ; ରକ୍ଷା କରିବା ପାଇଁ ଲାଗିପଡ଼ିଲେ। ଓଡ଼ିଶାର ସ୍ୱାର୍ଥ ପଛେଇଲା; ବିଜେଡିର ସ୍ୱାର୍ଥ ଆଗେଇଲା। ‘ମାଟି ବଡ଼ ନ ହୋଇ ପାର୍ଟି ବଡ଼’ ହୋଇଗଲା। ଅନ୍ୟ ରାଜନୈତିକ ନେତୃବୃନ୍ଦ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଦୋଷ, ଦୁର୍ବଳତା ଓ ଅବହେଳା ପ୍ରତି ଦୃଷ୍ଟି ଆକର୍ଷଣ କରି ତାଙ୍କ ଉପରେ ଚାପ ପକାଇବେ କ’ଣ, ନିଜ ନିଜର ବ୍ୟକ୍ତିଗତ ପତିଆରାକୁ ବଞ୍ଚାଇ ରଖିବା ପାଇଁ ଅଲଗା ଅଲଗା କାର୍ଯ୍ୟକ୍ରମ ଘୋଷଣା କଲେ। ମୁଖ୍ୟମନ୍ତ୍ରୀଙ୍କୁ ଖସିଯିବା ପାଇଁ ସୁଯୋଗ ଦେଲେ। ତା’ ନହୋଇଥିଲେ ବିଧାନସଭାରେ ବିରୋଧୀ ଦଳର ନେତା ନରସିଂହ ମିଶ୍ର ସବୁ ଦଳକୁ ଏକାଠି କରି ସର୍ବଦଳୀୟ ବୈଠକ କରୁଥିବା ବେଳେ ପ୍ରଦେଶ କଂଗ୍ରେସ ସଭାପତି ଓଡ଼ିଶା ବନ୍ଦ ଡାକରା ଦେଇ ନଥାନ୍ତେ। ଏହାଦ୍ୱାରା କଂଗ୍ରେସ ଦଳ ଯେ କେବଳ ବିଭାଜିତ ତା’ ନୁହେଁ; ବିରୋଧୀଦଳମାନଙ୍କ ଭିତରେ ମଧ୍ୟ ଏ ବ୍ୟାପାର ନେଇ ସହମତିର ଅଭାବ ରହିଛି ବୋଲି ଅଭିଯୋଗ କରିବା ପାଇଁ ନବୀନବାବୁଙ୍କୁ ସୁଯୋଗ ମିଳିଲା।

ସେହିପରି ଯାବତୀୟ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ନବୀନବାବୁଙ୍କୁ, ଭାଷା ଆଇନକୁ ନେଇ ରାଷ୍ଟ୍ରନାୟକ ହେବା ପାଇଁ ଆଉ ଏକ ସୁଯୋଗ ମିଳିଥିଲା। କେଜାଣି କାହିଁକି, ଏହାକୁ ମଧ୍ୟ ସେ ହାତଛଡ଼ା କଲେ। ଆଜିଠାରୁ ଓଡ଼ିଶା ସରକାର ଓଡ଼ିଆରେ ଚାଲିବ ବୋଲି ବିଧିବଦ୍ଧ ଘୋଷଣା କରାଯାଇଛି। କୁହାଯାଉଛି, ଦୀର୍ଘ ୬୨ ବର୍ଷ ଭିତରେ କୌଣସି ସରକାର ଯାହା କରିବାକୁ ସାହସ କରି ନଥିଲେ, ତାହା ନବୀନବାବୁ କରି ଦେଖାଇଛନ୍ତି। ସତେ ଯେପରି ଏହା ଏକ ଐତିହାସିକ ବିପ୍ଳବର ସୂତ୍ରପାତ କରିଛି। ଆମ ବିଚାରରେ ସରକାରୀ ଘୋଷଣାନାମାଟି ସେଭଳି କୌଣସି ପରିବର୍ତ୍ତନର ସୂଚନା ଦେଉନାହିଁ। ଏହାଦ୍ୱାରା ସରକାରୀସ୍ତରରେ ଓଡ଼ିଆ ଭାଷା ବ୍ୟବହାରରେ ସେପରି କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ହେବ ବୋଲି ମନେ ହେଉନାହିଁ। ଏହାର ମୁଖ୍ୟ କାରଣ ହେଲା, ଘୋଷଣାର ପୂର୍ବ ଏବଂ ପରବର୍ତ୍ତୀ ଅବସ୍ଥାରେ ବିଶେଷ କିଛି ପ୍ରଭେଦ ନାହିଁ। ୧୯୫୪ର ଭାଷା ଆଇନ ପାରିତ ହେବା ପରେ ୧୯୬୭ରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ କିଛି କିଛି କ୍ଷେତ୍ରରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ୧୯୮୫ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଉଚ୍ଚ ନ୍ୟାୟାଳୟକୁ ବାଦ ଦେଇ ଅନ୍ୟ ସବୁକ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାର ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସଂପୃକ୍ତ ହୋଇ ଏହା କିପରି କାର୍ଯ୍ୟକାରୀ ହେବ ତାହା ତଦାରଖ କରୁଥିଲେ। ଓଡ଼ିଆ ଭାଷା ବ୍ୟବହାର ନ କଲେ ଫାଇଲ୍‌ ଫେରାଇବା ପର୍ଯ୍ୟନ୍ତ କଥା ଯାଇଥିଲା। ଆଜି ପୁଣି ୩୧ ବର୍ଷ ପରେ ସରକାର କ’ଣ କଲେ ଯେ ଏଭଳି ଡିଣ୍ଡିମ ପିଟାଯାଉଛି? ସବୁଠାରୁ ବିଡ଼ମ୍ବନାର କଥା ହେଲା ଯେଉଁ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଆରେ ସରକାରୀ କାର୍ଯ୍ୟ ହେବ ବୋଲି ଘୋଷଣା କରାଯାଇଛି, ତାହା ଓଡ଼ିଆରେ ନ ହୋଇ ଇଂରାଜୀରେ ହୋଇଛି; ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲା ପରି।

ଅସଲ କଥାଟି ହେଲା ସମୁଦାୟ ବ୍ୟାପାରରେ ସରକାରଙ୍କର କୌଣସି ଆନ୍ତରିକତା ନାହିଁ। ସମାଧାନର ଉଦ୍ୟମ କଥା ଦୂରେ ଥାଉ, ଅସଲ ସମସ୍ୟାଟିକୁ କେହି ବୁଝିବାକୁ ଚେଷ୍ଟା କରୁ ନାହାନ୍ତି। ବିଭିନ୍ନ ଅନୁଷ୍ଠାନମାନଙ୍କର ଦାବି ଓ ଆନ୍ଦୋଳନର ଚାପରେ ସରକାର ଅଗଷ୍ଟ ୧୫ଠାରୁ ଓଡ଼ିଆ ଭାଷା ବ୍ୟବହାର ହେବ ବୋଲି ଘୋଷଣା କରିଥିଲେ। ସେଥିପାଇଁ ଏକ ଅଧ୍ୟାଦେଶ ମଧ୍ୟ ଜାରି କରାଗଲା। ମନେହେଲା ସତେ ଯେପରି କ’ଣ ଗୋଟେ ବଡ଼ କଥା ହେବାକୁ ଯାଉଛି। ଅଧ୍ୟାଦେଶର ଆବଶ୍ୟକତା ପଡ଼ିଲା କାହିଁକି? ୧୯୫୪ର ମୂଳ ଆଇନରେ ନିୟମାବଳୀ ପ୍ରଣୟନ କରିବା ଅଧିକାର ସରକାରଙ୍କୁ ମିଳି ନଥିଲା କି ଏ ଆଇନର ଉଲ୍ଲଙ୍ଘନକାରୀଙ୍କ ପାଇଁ କୌଣସି ଦଣ୍ଡବ୍ୟବସ୍ଥା କରାଯାଇ ନଥିଲା। ତେଣୁ ଅଧ୍ୟାଦେଶ ବଳରେ ମୂଳ ଆଇନରେ ଥିବା ଏହି ଦୁର୍ବଳତାକୁ ଦୂରକରାଗଲା। ସରକାର ଚାହିଥିଲେ, ସେତେବେଳେ ଏଥିରେ ଦଣ୍ଡବ୍ୟବସ୍ଥା ମଧ୍ୟ କରିପାରିଥାନ୍ତେ; କିନ୍ତୁ ତାହା ସେ କଲେ ନାହିଁ। ଫଳରେ ହେଲା କ’ଣ? ପୂର୍ବ ସରକାରମାନଙ୍କର ବିଜ୍ଞପ୍ତି ଏବଂ ବର୍ତ୍ତମାନର ନିୟମାବଳୀ ଭିତରେ ସେପରି କୌଣସି ପ୍ରଭେଦ ନାହିଁ। କେବଳ ଔପଚାରିକ ଭାବେ ଅଧସ୍ତନ ସଚିବସ୍ତରୀୟ ମନିଟରିଂ କମିଟିର ବ୍ୟବସ୍ଥା କରି ଦୋଷଛଡ଼ା କାର୍ଯ୍ୟଟିଏ କରାଯାଇଛି। ୬୨ ବର୍ଷ ପରେ ‘ପର୍ବତର ମୂଷିକ ପ୍ରସବ’ ପରି କଥାଟି ହୋଇଛି।

କୌଣସି ଆଇନକୁ କାର୍ଯ୍ୟକାରୀ କରିବାକୁ ହେଲେ ଏହାର ଉଲ୍ଲଙ୍ଘନକାରୀଙ୍କ ପ୍ରତି ଦଣ୍ଡବିଧାନ ଯେ ଏକାନ୍ତ ଜରୁରୀ ଏ କଥା କ’ଣ କାହାକୁ ବୁଝାଇ କହିବାକୁ ପଡ଼ିବ? ମୁଖ୍ୟମନ୍ତ୍ରୀ ନବୁଝିଲେ ନାହିଁ, ତାଙ୍କୁ ଘେରି ରହିଥିବା ଆମର ଶାସନସଚିବ ମାନେ ଓ ଦଳର ବୋଲକରା ଚେଲା ଚାମଣ୍ଡାମାନେ କ’ଣ ଏକଥା ଜାଣି ପାରୁ ନାହାନ୍ତି? ଏହା ବୁଝିବା ପାଇଁ ଆବଶ୍ୟକ ଏକ ନିରୁତା ଓଡ଼ିଆ ପ୍ରାଣ। ଭାଷାକୁ ନେଇ ଯେଉଁ ଜାତି ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ପାଇଁ ବେସାଲିସ ସଂଗ୍ରାମ କରିଥିଲା, ଆଜି ସେ ଜାତିର ଓଡ଼ିଆ ପ୍ରାଣ ଗଲା କୁଆଡ଼େ? ଅସୁବିଧାଟି କେଉଁଠି ଅଛି କିଛି ବୁଝି ହେଉନାହିଁ। ଏଣେ ଭାଷା ପାଇଁ ଗଳା ଫଟାଇ ଚିତ୍କାର କରୁଥିବା ବିଭିନ୍ନ ଅନୁଷ୍ଠାନମାନେ ଏହି ତଥାକଥିତ ସଫଳତା ପାଇଁ ବାଃ ବାଃ ନେବାରେ ବ୍ୟସ୍ତ। ସରକାର ମଧ୍ୟ ଅତ୍ୟନ୍ତ ଚତୁରତାର ସହିତ ସେମାନଙ୍କୁ କିଛି କିଛି ଲଲିପପ୍‌ ଦେଇ ମୂଳ ପ୍ରସଙ୍ଗରୁ ଦୂରେଇ ନେବାରେ ସଫଳ ହୋଇଛନ୍ତି। ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଘୋଷଣା ଏପରି ଏକ କୌଶଳ। ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ଓ ରୁଗ୍‌ଣ ହୋଇ ପଡ଼ି ରହିଥିବା ବେଳେ, ସଂସ୍କୃତି ବିଶ୍ୱବିଦ୍ୟାଳୟ ଅର୍ଥାଭାବରୁ ମୁଣ୍ଡଟେକି ଛିଡ଼ା ହୋଇପାରୁ ନାହିଁ। ସରକାରୀ ଓଡ଼ିଆ ଭାଷା ପ୍ରତିଷ୍ଠାନ ଉପେକ୍ଷିତ ହୋଇ ପ୍ରାୟ ଅଚଳ ହୋଇ ପଡ଼ିଛି। ଏଭଳି ଏକ ପରିସ୍ଥିତିରେ ଆଉ ଏକ ବିଶ୍ୱବିଦ୍ୟାଳୟ କି ସ୍ୱାର୍ଥ ସାଧନ କରିବ? ଏଣୁ ଆଜି ପୁଣି ଭାଷା ଆନ୍ଦୋଳନ ପକ୍ଷରୁ କଳାପତାକା ପଟୁଆର ଆରମ୍ଭ ହୋଇଛି।

ଏବେ ବି ସମୟ ଅଛି, ଯେତେ କମ୍‌ ସଂଖ୍ୟାରେ ହେଲେ ମଧ୍ୟ ନିଜ ଭାଷା ପାଇଁ କାନ୍ଦୁଥିବା ଓଡ଼ିଆପ୍ରାଣମାନେ ଏକାଠି ହୋଇ ଗୋଟିଏ ଦାବି କରନ୍ତୁ- ଓଡ଼ିଆ ଭାଷା ସରକାରର ସବୁ ସ୍ତରରେ ବ୍ୟବହାର ହେଉ ଏବଂ ଉଲ୍ଲଙ୍ଘନକାରୀଙ୍କ ପ୍ରତି ଦଣ୍ଡ ବିଧାନ ହେଉ! ବାକି ସବୁ ଦାବି ଆପେ ଆପେ ପୂରଣ ହୋଇଯିବ।

 

Comments

Leave a Reply

*

Shares