Blog

blog-image-sp-four

ଓଡ଼ିଆ ଜାତିର ନବକଳେବର

ସୌମ୍ୟରଂଜନ ପଟ୍ଟନାୟକ: ଗତକାଲି ନବଗଠିତ ବିଦ୍ୟାଳୟ ଶିକ୍ଷକ ମହାସଂଘ ତରଫରୁ ସାରା ଓଡ଼ିଶାର ସବୁ ସ୍ତର ଓ ସବୁ ବର୍ଗର ଶିକ୍ଷକମାନଙ୍କୁ ନେଇ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା। ବିଧାନସଭା ସମ୍ମୁଖରେ ହଜାରହଜାର ଶିକ୍ଷକ ରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାନସଭା ଅଧିବେଶନ ସମୟରେ ଏ ପ୍ରକାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାନସଭା ଅଧିବେଶନ ସମୟରେ ଏ ପ୍ରକାର ବିକ୍ଷୋଭ ପ୍ରଦର୍ଶନ ଏକରକମ ଦେହସୁହା ହୋଇଯାଇଥିଲେ ମଧ୍ୟ ଗତକାଲିର ବିକ୍ଷୋଭ ସ୍ଵତନ୍ତ୍ର ଉଲ୍ଲେଖର ଅପେକ୍ଷା ରଖୁଛି। ବହୁବର୍ଷ ପରେ ପ୍ରାୟ ୧୪ଟି ବର୍ଗର ଶିକ୍ଷକ ଏକ ମହାଜାତିରେ ଅନ୍ତର୍ଭୁକ୍ତ ହୋଇ ଏକାଠି ହୋଇଛନ୍ତି। ଆମ ବିଚାରରେ ଏହା ଏକ ଐତିହାସିକ ସମାବେଶ। ବହୁ ବର୍ଷ ତଳେ ଶିକ୍ଷକ ମହାସଂଘ ଏକ ଶକ୍ତିଶାଳୀ ସଂଗଠନ ଭାବେ ଗଢ଼ି ଉଠିଥିଲା। ବିଭିନ୍ନ ଦାବି ଓ ସମସ୍ୟାକୁ ନେଇ ସେମାନେ ଆନ୍ଦୋଳନ କରୁଥିଲେ। ସେମାନଙ୍କ ଆନ୍ଦୋଳନରେ ସରକାର ଦୋହଲି ଯାଉଥିଲା। ଅଶୀ ଦଶକରେ ସେମାନଙ୍କର ପ୍ରାୟ ସମସ୍ତ ଦାବି ପୂରଣ କରିବାରେ ସରକାର ବାଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷାକୁ ଅଗ୍ରାଧିକାର ଦେଇ ସର୍ବଶିକ୍ଷା ଅଭିଯାନ ପରି ବିଭିନ୍ନ ଯୋଜନା ହାତକୁ ନିଆଯିବା ଫଳରେ ଶିକ୍ଷା ବ୍ୟବସ୍ଥାରେ ନିଶ୍ଚିତ ଭାବରେ ସଂଖ୍ୟାତ୍ମକ ଅଭିବୃଦ୍ଧି ଘଟିଛି। ପୁଣି ଶିକ୍ଷାକୁ ଏକ ଅଧିକାର ଭାବେ ମାନ୍ୟତା ମିଳିବା ପରେ ଶିକ୍ଷା ବ୍ୟବସ୍ଥାର ଗୁରୁତ୍ଵ ବହୁଗୁଣରେ ବଢ଼ି ଯାଇଛି। ଓଡ଼ିଶାର ଏଭଳି କୌଣସି ଗ୍ରାମ ନାହିଁ, ଯେଉଁଠି ସରକାରୀ ଅର୍ଥରେ ଶିକ୍ଷକଟିଏ ରହୁ ନାହିଁ। ଏଭଳି ବ୍ୟକ୍ତିମାନଙ୍କୁ ଏକାଠି କରିବା କୌଣସି ସରକାର ପାଇଁ ନିରାପଦ ନୁହେଁ। ଭୋଟ୍ ସର୍ବସ୍ଵ ବ୍ୟବସ୍ଥାରେ ଏମାନେ ନିର୍ଣାୟକ ଭୂମିକା ନେଇ ପାରନ୍ତି। ସେଇଥିପାଇଁ ସମ୍ଭବତଃ ବର୍ତମାନର ସରକାରମାନେ ଏମାନଙ୍କୁ ଭାଗ ଭାଗ କରି ରଖିବାକୁ ଉଚିତ ମଣୁଛନ୍ତି। ଏହି ଦୃଷ୍ଟିରୁ ଗତକାଲିର ସମାବେଶ ଉଲ୍ଲେଖନୀୟ।

ଆଉ କେତେ ମାସ ପରେ ପୁରୀ ଶ୍ରୀଜଗନ୍ନାଥଙ୍କ ନବକଳେବର ହେବ। ଓଡ଼ିଆ ଜାତି ପାଇଁ ଶ୍ରୀଜଗନ୍ନାଥ କେତେ ଗୁରୁତ୍ଵପୂର୍ଣ, ତାହା ବୁଝାଇ କହିବା ଦରକାର ନାହିଁ। ଶିକ୍ଷକମାନେ କିନ୍ତୁ ଭିନ୍ନ ଏକ ନବକଳେବର ପାଇଁ ପ୍ରସ୍ତୁତ ହୁଅନ୍ତୁ। ଏହା ହେଲା, ଓଡ଼ିଆ ଜାତିର ନବକଳେବର। ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଶିକ୍ଷକଙ୍କ ଉପରେ ନିର୍ଭର କରୁଛି। ଏମାନେ ଓଡ଼ିଆ ଜାତିର ଦାରୁ ସଦୃଶ। ଏମାନେ ଯଦି ମଣିଷ ନହେବେ, ଆଧୁନିକ ବଜାର ସଭ୍ୟତାର ପ୍ରତିଯୋଗିତାରେ ସଫଳ ହେବା ପାଇଁ ସକ୍ଷମ ନହେବେ, ତାହେଲେ ଓଡ଼ିଆ ଜାତିର ଅବସ୍ଥା କ’ଣ ହେବ? ଶିକ୍ଷା ମଣିଷ ତିଆରି ପାଇଁ ଏକାନ୍ତ ଆବଶ୍ୟକ। କିନ୍ତୁ ଆମ ଶିକ୍ଷା ବ୍ୟବସ୍ଥା ଏ କାର୍ଯ୍ୟଟି କରୁଛି କି? କିଛି ଦିନ ତଳେ ହାଇକୋର୍ଟରେ ଚତୁର୍ଥ ଶ୍ରେଣୀର ୫୩ଟି ଚପରାଶି, ଝାଡୁଦାର ଚାକିରି ପାଇଁ ପ୍ରାୟ ୩୨ ହଜାର ଯୁବକଯୁବତୀ ଆବେଦନ କରିଥିଲେ। ଏହି ଚାକିରିର ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍ ଥିବା ବେଳେ ଇଂଜିନିୟରିଂ, ଏମ୍.ଏ., ବି.ଏ. ଡିଗ୍ରୀଧାରୀ, ଏପରିକି ସ୍କୁଲ୍ର ଶିକ୍ଷକମାନେ ମଧ୍ୟ ଏହି ଚାକିରି ପାଇଁ ଆବେଦନ କରିଥିବା ଦେଖାଯାଇଥିଲା। ଏହା ଆମ ଶିକ୍ଷା ବ୍ୟବସ୍ଥା ସଂପର୍କରେ କି ସୂଚନା ଦେଉଛି? ଶିକ୍ଷାର ମାନ କମିଛି ନା ଆମେ ସ୍ଵାଭିମାନ ହରାଇ ବସିଛୁ? ଅନ୍ୟ ଏକ ରିପୋର୍ଟ କହୁଛି, ଆମ ସରକାରୀ ସ୍କୁଲ୍ର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପଞ୍ଚମ ଶ୍ରେଣୀର ପାଠକୁ ମଧ୍ୟ ଆୟତ୍ତ କରି ପାରୁ ନାହାନ୍ତି। ସରକାର ଏ ସଂପର୍କରେ ବିଶେଷ ଚିନ୍ତିତ ଥିବା ପରି ମନେ ହେଉ ନାହିଁ। ଏ ବ୍ୟବସ୍ଥା ଓଲଟି ତାଙ୍କୁ ଏକ ପ୍ରକାର ସୁହାଉଛି। ଆମ ସରକାରୀ ଶିକ୍ଷା ବ୍ୟବସ୍ଥା ଓଡ଼ିଶାକୁ ଦୁଇଟି ଜାତିରେ ବାଣ୍ଟି ଦେଉଛି କହିଲେ ଭୁଲ୍ ହେବ ନାହିଁ। ଗୋଟିଏ ଜାତି ଗରିବ, ଅଳସୁଆ ଓ ଅପାଠୁଆ ବା ଅଧାପାଠୁଆ। ଏମାନେ ସରକାରୀ ସ୍କୁଲ୍କୁ ଯାଆନ୍ତି। ଆଉ ଗୋଟିଏ ଜାତି ସଂଖ୍ୟା ଦୃଷ୍ଟିରୁ କମ୍ ହେଲେ ବି ବେସରକାରୀ ସ୍କୁଲ୍କୁ ଯାଆନ୍ତି। ଅଧିକ ପଇସାରେ ଭଲ ସ୍କୁଲରେ ପାଠ ପଢ଼ନ୍ତି। ବିକାଶର ସବୁ ସମ୍ଭାବନାକୁ ହାତେଇବା ପାଇଁ ଚେଷ୍ଟା କରିବା ସହିତ ଓଡ଼ିଶାକୁ ଲୁଟିବା ପାଇଁ ସମସ୍ତ କ୍ଷମତା ଓ କୌଶଳ ଆହରଣ କରିବାରେ ବ୍ୟସ୍ତ ଥାଆନ୍ତି। ପ୍ରଥମ ଜାତି ସରକାରଙ୍କ ପାଇଁ ଏକ ରକମ ଭୋଟ୍ ବ୍ୟାଙ୍କ୍ରେ ପରିଣତ ହେଲେଣି। ସେମାନେ ଉପରକୁ ଉଠନ୍ତୁ ବୋଲି କୌଣସି ସରକାର ଚାହିବେ ନାହିଁ। ଏଭଳି ଏକ ପରିସ୍ଥିତିରେ ଓଡ଼ିଶାର ବିକାଶ ହେବ କିପରି? ଶିକ୍ଷା ବ୍ୟବସ୍ଥାରେ ମୌଳିକ ସଂସ୍କାର ନଆଣିଲେ ଓଡ଼ିଶାର ବିକାଶ ବା ପରିବର୍ତ୍ତନ ଆଦୌ ସମ୍ଭବ ନୁହେଁ। ଶିକ୍ଷକମାନେ ଯେଉଁ ଦାବି ନେଇ ଆଜି ବିକ୍ଷୋଭ କରୁଛନ୍ତି, ସେଗୁଡ଼ିକୁ ସରକାର ଗମ୍ଭୀରତାର ସହ ବିଚାର କରିବା କଥା। ସେମାନଙ୍କୁ ଗୋଟିଏ ଜାତି ବୋଲି ଭାବି ବିଭିନ୍ନ ବର୍ଗର ଶିକ୍ଷକମାନଙ୍କୁ ଯୋଗ୍ୟତା ଭିତ୍ତିରେ ସମାନ କାମକୁ ସମାନ ଦରମା ନ୍ୟାୟରେ ମାନ୍ୟତା ମିଳିବା କଥା। ଶିକ୍ଷକମାନେ ଅସନ୍ତୁଷ୍ଟ ରହିଲେ ଶିକ୍ଷା ବ୍ୟବସ୍ଥା ବିପର୍ଯସ୍ତ ହେବ ହିଁ ହେବ। ମଧ୍ୟାହ୍ଣଭୋଜନ ଶିକ୍ଷା ବ୍ୟବସ୍ଥାକୁ ଅବାଟରେ ନେବା ପାଇଁ ଏକ କାରଣ ସାଜିଛି। ଟଙ୍କିକିଆ ଚାଉଳ, ଖାଦ୍ୟ ନିରାପତ୍ତା ଯୋଜନା ଏବଂ ଅନ୍ୟ ଜନକଲ୍ୟାଣକାରୀ ଯୋଜନା ପରିପ୍ରେକ୍ଷୀରେ ମଧ୍ୟାହ୍ଣଭୋଜନ ଯୋଜନାର ଆଉ ଆବଶ୍ୟକତା ଅଛି କି ନାହିଁ ସେସଂପର୍କରେ ଅନାସକ୍ତ ତର୍ଜମା ହେବା ଦରକାର।

ସ୍କୁଲ ଶିକ୍ଷାର ଜାତୀୟକରଣ କରି ଉଚ୍ଚଶିକ୍ଷାକୁ ବରଂ ବେସରକାରୀ କ୍ଷେତ୍ର ପାଇଁ ଛାଡ଼ିଦେଲେ, ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ଅଭିବୃଦ୍ଧି ହୋଇପାରିବ ବୋଲି ଆମର ବିଶ୍ଵାସ। ଧନୀ ଓ ଗରିବ, ଅକ୍ଷମ ଓ କ୍ଷମତାଶାଳୀ ଉଭୟଙ୍କର ପିଲାମାନେ ଗୋଟିଏ ବିଦ୍ୟାଳୟରେ ପଢ଼ିଲେ, ଶିକ୍ଷକଙ୍କ ଉପରେ ଗୁଣ ରକ୍ଷା ପାଇଁ ଚାପ ବଢ଼ିବ। ଆମ ପିଲାମାନେ ବିଦ୍ୟାଳୟ ସ୍ତରରୁ ଉପଯୁକ୍ତ ଶିକ୍ଷା ଲାଭ କଲେ, ପରବର୍ତ୍ତୀ ସମୟରେ କୌଣସି କ୍ଷେତ୍ରରେ ତାଙ୍କର ଦକ୍ଷତା ବୃଦ୍ଧିରେ କୌଣସି ଅସୁବିଧା ହେବ ନାହିଁ। ଏମ୍.ଏ. ପାସ୍ ପିଲା ହାଇକୋର୍ଟର ଝାଡ଼ୁଦାର ହେବା ପାଇଁ ଆଉ ବିକଳ ହେବେ ନାହିଁ। ଓଡ଼ିଆ ଜାତିର ନବକଳେବର କରିବାର ଏହି ଗୌରବମୟ ଆହ୍ଵାନକୁ ଶିକ୍ଷକ ସମାଜ ଗ୍ରହଣ କରିବେ ବୋଲି ଆମର ବିଶ୍ଵାସ। ସେମାନଙ୍କୁ ମଧ୍ୟ ତ୍ୟାଗ କରିବାକୁ ପଡ଼ିବ। ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ଏପରି ଅଡ଼ୁଆରେ ଛନ୍ଦି ହୋଇ ପଡ଼ିଛି ଯେ କୌଣସି ପଟୁ ସଂସ୍କାର କରିବାକୁ ଚାହିଲେ, ଅନ୍ୟ ପଟୁ ପ୍ରତିବାଦ ଓ ଅଭିଯୋଗ ଆସି ଯାଉଛି। ମାମଲାବାଜ୍ ଶିକ୍ଷକଙ୍କର ସଂଖ୍ୟା ମଧ୍ୟ କମ୍ ନୁହେଁ। ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ କଥା ଯାଉଛି, ଅଥଚ ବିବାଦ ତୁଟୁ ନାହିଁ। ଶିକ୍ଷକମାନେ ଯେହେତୁ ଗୋଟିଏ ମହାଜାତିରେ ସାମିଲ ହୋଇଛନ୍ତି, ସବୁ ପଛକଥାକୁ ଭୁଲି ନୂଆ ଓଡ଼ିଆ ଜାତି ଗଠନ କରିବା ପାଇଁ ଆଗେଇ ଆସନ୍ତୁ। ଏହା ହିଁ ହେବ ଏ ଜାତିର ପ୍ରକୃତ ନବକଳେବର। ସରକାର ବ୍ୟବସ୍ଥାରେ ସଂସ୍କାର ଆଣି ଏ ଜାତିର ନବକଳେବର ନିର୍ମାଣରେ ସହାୟକ ହୁଅନ୍ତୁ।

Comments

Leave a Reply

*

Shares