Blog

blog-image-sp-five

ବିଶ୍ଵାସରେ ବିଷ

ସୌମ୍ୟରଂଜନ ପଟ୍ଟନାୟକ: ଜଗନ୍ନାଥଙ୍କ ନବକଳେବର ଘଟ ପରିବର୍ତ୍ତନକୁ ନେଇ ବିଭ୍ରାଟ ସବୁ ସୀମା ଲଂଘନ କରିବା ସହିତ ସାରା ଓଡ଼ିଶାକୁ ବ୍ୟଥିତ କରିଛି। ସରକାର ଗୋଇଠା ମାରି ବିଷ୍ଣୁ କଲା ପରି ଦୁଇଜଣ ଦଇତାପତିଙ୍କୁ ନିଲମ୍ବିତ କରି କୌଣସି ପ୍ରକାରେ ଜନଅସନ୍ତୋଷକୁ ଚପାଇ ଦେବା ପାଇଁ ଚେଷ୍ଟା କରୁଥିଲା ବେଳେ ରାଜନୈତିକ ଦଳମାନେ ଏହାର ସୁଯୋଗ ନେଇ ନିଜର ହରାଇଥିବା ପତିଆରାକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ଆମ ବିଚାରରେ ଘଟ ପରିବର୍ତନର ବିଭ୍ରାଟ ଓଡ଼ିଆ ଜାତୀୟ ଜୀବନର ଅନ୍ୟ ଏକ ବିଲକ୍ଷଣକୁ ସୂଚାଇ ଦେଉଛି।

ଓଡ଼ିଆ ଜାତୀୟ ଜୀବନ ଜଗନ୍ନାଥଙ୍କୁ ନେଇ ପରିପୁଷ୍ଟ। ଏବେ ବି ସାରା ବିଶ୍ଵରେ ‘ଜଗନ୍ନାଥ ଦେଶ’ରୁ ଆସିଛୁ ବୋଲି କହି ଓଡ଼ିଆ ଗର୍ବ କରେ ଏବଂ ଚିହ୍ନା ପଡ଼େ। ଜଗନ୍ନାଥ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସାଧାରଣତନ୍ତ୍ରର ସର୍ବଶ୍ରେଷ୍ଠ ପ୍ରତୀକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ ସମ୍ବିଧାନ ସାଧାରଣ କ୍ଷେତ୍ରର ବିସ୍ତାର ଓ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ସାଧାରଣ କ୍ଷେତ୍ରର ସୁରକ୍ଷା ଗଣତାନ୍ତ୍ରିକ ରାଷ୍ଟ୍ର ଦାୟିତ୍ଵରେ ଥିବା ପ୍ରତିନିଧି ଶାସକମାନଙ୍କର ପ୍ରଧାନ କର୍ତ୍ତବ୍ୟ। ଏବେ କିନ୍ତୁ ଦେଖାଯାଉଛି, ନିର୍ବାଚିତ ପ୍ରତିନିଧିମାନେ ଥରେ ଶାସନ କ୍ଷମତାକୁ ଆସିଲେ ସାଧାରଣ କ୍ଷେତ୍ର ପ୍ରତି ତାଙ୍କର ଦାୟିତ୍ଵ ଅଛି ବୋଲି ଭୁଲି ଯାଉଛନ୍ତି। ସାଧାରଣ କ୍ଷେତ୍ରର ସଂକୋଚନ ବା ନିଜିକରଣ ଅବାରିତ ଭାବେ ଚାଲିଛି। ଏହା ଯେକୌଣସି ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ବଡ଼ ବିପଦ। ଓଡ଼ିଶାର ଶାସନ ବ୍ୟବସ୍ଥାକୁ ଏହି ଦୃଷ୍ଟିରୁ ବିଚାର କଲେ ଲକ୍ଷ୍ୟ କରି ହେବ ଯେ ନିର୍ବାଚିତ ସରକାରମାନେ କେବଳ ଅହଂକାରୀ ହୋଇ ନାହାନ୍ତି, ସାଧାରଣ କ୍ଷେତ୍ରକୁ ସଂକୁଚିତ କରି ଚାଲିଛନ୍ତି। ଏହି ସଂକୋଚନ ପ୍ରକ୍ରିୟା ବେଳେ ବେଳେ ସବୁକିଛିକୁ ଅତିକ୍ରମ ଚରମ ସୀମାରେ ପହଞ୍ଚୁଛି। ଜଗନ୍ନାଥଙ୍କ ଘଟ ପରିବର୍ତ୍ତନର ବିଭ୍ରାଟ ଏହି ଚରମସୀମାର ପ୍ରତିଫଳନ ମାତ୍ର।

ଜଗନ୍ନାଥ ସାଧାରଣ କ୍ଷେତ୍ରର ସର୍ବଶ୍ରେଷ୍ଠ ପ୍ରତୀକ। ସାଧାରଣ ଲୋକଟି ପରି ତାଙ୍କର ଦୈନନ୍ଦିନ ଜୀବନ। ଆହାର, ନିଦ୍ରା, ମନୋରଂଜନର ଆବଶ୍ୟକତା ସହିତ ଆମ ଜଗନ୍ନାଥଙ୍କୁ ଥଣ୍ଡା ଜର ମଧ୍ୟ ହୋଇଥାଏ। ଦାସିଆ ବାଉରି, ଭକ୍ତ ସାଲବେଗ ଓ ଗଜପତି ମହାରାଜା ସମସ୍ତେ ତାଙ୍କର ଭକ୍ତ। ବର୍ଷରେ ଥରେ ସେ ମନ୍ଦିରରୁ ବାହାରି ସାଧାରଣଲୋକଙ୍କ ସହ ରଥଯାତ୍ରା କରନ୍ତି। ସାଧାରଣ ଲୋକଟିଏ ତାଙ୍କ ପାଖରେ ଅଳି କରେ; ତାଙ୍କୁ ଗାଳି ଦିଏ। ସେ ଭକ୍ତର ଅଧୀନ ବୋଲି ଆମମାନଙ୍କର ବିଶ୍ଵାସ ରହିଛି। ସାଧାରଣ କ୍ଷେତ୍ରର ପ୍ରତିନିଧିତ୍ଵ କରୁଥିବା ଏହିଭଳି ଏକ ଠାକୁରଙ୍କୁ ନିଜର ବ୍ୟକ୍ତିଗତ ସମ୍ପତ୍ତିରେ ପରିଣତ କରିବା ପାଇଁ ଉଦ୍ୟମ ହୋଇଛି ବୋଲି କୁହାଯାଇପାରେ। ସାଧାରଣ କ୍ଷେତ୍ରର ନିଜିକରଣ ଏକ ବିଲକ୍ଷଣ। ଆମ ସାମଗ୍ରିକ ଜୀବନର ବିଭିନ୍ନ କ୍ଷେତ୍ରରେ ଊଣା ଅଧିକେ ଏହା ପ୍ରତିଫଳିତ ହେଉଛି।

ଓଡ଼ିଶାର ସବୁ ସମ୍ପଦ ଓଡ଼ିଶାବାସୀଙ୍କର। ଜଗନ୍ନାଥ ସବୁ ଦୃଷ୍ଟିରୁ ଆମକୁ ଆଶୀର୍ବାଦ କରିଛନ୍ତି। ଭୂଇଁ ଉପରେ ଯେମିତି ମୂଲ୍ୟବାନ୍ ଜଙ୍ଗଲ ସମ୍ପଦ ଦେଇଛନ୍ତି, ଭୂଇଁ ତଳେ ତା’ଠାରୁ ଅଧିକ ମୂଳ୍ୟବାନ୍ ଖଣିଜ ସମ୍ପଦ ଦେଇଛନ୍ତି। ଭୂଇଁ କଡ଼ରେ ୪୮୦ କିଲୋମିଟର ବେଳାଭୂମି ମଧ୍ୟ କୌଣସି ପ୍ରଦେଶର ନାହିଁ। ଓଡ଼ିଶାର ନଦନଦୀ ୪ କୋଟି ଲୋକଙ୍କର ଜୀବନଧାରା ପାଲଟିବା ପାଇଁ ଯଥେଷ୍ଟ। ତେବେ ଆମେ କୁଳାଙ୍ଗାରମାନେ ସେହିସବୁ ସାଧାରଣ ସମ୍ପତ୍ତିକୁ ଲୁଟି ନେଇ ନିଜର କରିବାରେ ବ୍ୟସ୍ତ। ଖଣି, ଜମି ଓ ପାଣି ଆଜି ମୁଷ୍ଟିମେୟ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କର କବ୍ଜାରେ।
ସାଧାରଣ ଲୋକର ଧନ ଓ ଜୀବନ ସୁରକ୍ଷିତ ରଖିବା ଗୋଟିଏ ରାଷ୍ଟ୍ରର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। କିନ୍ତୁ ଓଡ଼ିଆଙ୍କର ଧନ ଜୀବନ ଆଜି ସୁରକ୍ଷିତ ଥିଲା ପରି ମନେ ହେଉ ନାହିଁ। ପ୍ରତିଦିନ ଖବରକାଗଜର ପୃଷ୍ଠା ଓଲଟାଇଲେ ଏହାର ପ୍ରମାଣ ମିଳୁଛି। ସାଧାରଣ ନାଗରିକର କଷ୍ଟୋପାର୍ଜିତ ଧନ ଚିଟ୍ ଫଣ୍ଡ୍ ବ୍ୟାପାରରେ କିପରି ମୁଷ୍ଟିମେୟ ଲୋକଙ୍କ ହାତକୁ ଚାଲିଗଲା, ତାହା ଆମେ ସମସ୍ତେ ଜାଣୁଛୁ, ଦେଖୁଛୁ, ଅଥଚ କିଛି କରି ପାରୁନାହୁଁ। ସାଧାରଣ ମଣିଷଟିକୁ ଟଙ୍କିକିଆ ଚାଉଳ, ପାଞ୍ଚଟଙ୍କିଆ ଭାରତ-ଡାଲମା, ଯୋତା, ଛତା ଓ ଭତ୍ତା ଦେଇ ନିଜର ବ୍ୟକ୍ତିଗତ ସମ୍ପତ୍ତିରେ ପରିଣତ କରି ଦିଆଯାଉଛି। ଏହା ପୁରୁଣା କ୍ରୀତଦାସ ପ୍ରଥାଠାରୁ କୌଣସି ଗୁଣରେ କମ୍ ନୁହେଁ।

ଏହିଭଳି ଏକ ପରିସ୍ଥିତିରେ ଜଗନ୍ନାଥଙ୍କ ଘଟ ପରିବର୍ତ୍ତନ ବିଭ୍ରାଟ ଅନେକଙ୍କୁ ଅସ୍ଵାଭାବିକ ମନେ ନହୋଇ ପାରେ। ସରକାର, ମନ୍ଦିର ପ୍ରଶାସନ ଓ ଦଇତାପତିମାନଙ୍କର ବୟାନ ସେଥିପାଇଁ ଆମକୁ ଆଶ୍ଚର୍ଯ୍ୟ କରୁ ନାହିଁ। ସବୁଦାୟ ବ୍ୟାପାରଟିକୁ କୌଣସି ଉପାୟରେ ଚପାଇ ଦେବାପାଇଁ ଆମ ବ୍ୟବସ୍ଥା ପୂରା ଦମ୍ରେ ଲାଗି ପଡ଼ିଛି। ତେବେ ଏଥିରେ ସେମାନେ ସଫଳ ହେବେ କି?
ଜଗନ୍ନାଥ କ’ଣ ସତରେ ଅଛନ୍ତି, ଦାରୁ ଦେବତାଙ୍କ ମଧ୍ୟରେ ବ୍ରହ୍ମ ଅଛି କି ନାହିଁ – ଏସବୁ ବିଶ୍ଵାସର କଥା। କଥାରେ ଅଛି ‘‘ବିଶ୍ଵାସେ ମିଳଇ ହରି, ତର୍କେ ବହୁଦୂର’। ଆଜି ସରକାର, ମନ୍ଦିର ପ୍ରଶାସନ ଓ ଦଇତାପତିମାନେ ଆମର ବିଶ୍ଵାସରେ ବିଷ ଦେଇଛନ୍ତି। ଏ ପାପର ପ୍ରାୟଶ୍ଚିତ ନାହିଁ। ଓଡ଼ିଆଙ୍କୁ ଭିନ୍ନ ଭିନ୍ନ ସମୟରେ ଅଳସୁଆ, ପ୍ରତିକ୍ରିୟାହୀନ ଜାତି ଭାବରେ ବର୍ଣନା କରାଯାଇଛି। ଅତୀତରେ ଜଗନ୍ନାଥଙ୍କ ସହିତ ଏ ଜାତିର ସଂପର୍କକୁ ତୁଟାଇବା ପାଇଁ ଚେଷ୍ଟା କରାଯାଇଛି। କିନ୍ତୁ ତାହା ସଫଳ ହୋଇ ନାହିଁ। ଏବେ ମଧ୍ୟ ହେବ ନାହିଁ।

Comments

Leave a Reply

*

Shares