Blog

blog-image-sp-three

ମୁଁ ବିକ୍ରି ପାଇଁ ନୁହେଁ

ସୌମ୍ୟରଂଜନ ପଟ୍ଟନାୟକ: ଆଜି ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜଣେ କେହି ଗୁଳି କରି ହତ୍ୟା କରିଥିଲେ। ମୁଁ ଜାଣିଶୁଣି ସେହି ହତ୍ୟାକାରୀଙ୍କ ନାମ ଉଲ୍ଲେଖ କରୁ ନାହିଁ। କାରଣ ତାଙ୍କର ବିଚାର ଓ ସ୍ଵାଧୀନ ମତପୋଷଣ କରିବାର ଅଧିକାର ପ୍ରତି ମୋର ସମ୍ମାନ ଅଛି; କିନ୍ତୁ ସମର୍ଥନ ନାହିଁ। ତେଣୁ ତାଙ୍କୁ ଅଯଥା ବ୍ୟକ୍ତିଗତ ବିବାଦ ଭିତରକୁ ଟାଣିବାକୁ ଚାହୁଁନାହିଁ। କିନ୍ତୁ ଯେଉଁ ବିଚାରକୁ ସମର୍ଥନ କରି ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ରୂପେ ସମ୍ମାନ ଦେଇ ଆସିଛୁ, ସେ ବିଚାର ସଂପର୍କରେ ଆଜି ଅଧିକ ଆଧୁନିକ ଢଙ୍ଗରେ ଆଲୋଚନା କରିବାର ଅବକାଶ ଅଛି ବୋଲି ମୁଁ ମନେକରୁଛି।

ଏ ପ୍ରସଙ୍ଗରେ ଏକ ହିନ୍ଦୀ ସିନେମାର ସଂଳାପ ମୋର ମନେପଡୁଛି ମତେ ମାରି ଦେଇପାର ମାତ୍ର ମୋର ବିଚାରକୁ ନୁହେଁ। ବିଚାର କେବେ ମରେ ନାହିଁ । ମରିଗଲା ପରି ମନେ ହେଉଥିଲେ ହେଁ ପୁଣି ନୂଆ ରୂପରେ, ନୂଆ ଢଙ୍ଗରେ ଜନ୍ମ ନିଏ। କିନ୍ତୁ ଗାନ୍ଧୀ ବିଚାର କଥା ମନେ କଲାବେଳେ ମନେ ହେଉଛି, ସତେ ଯେପରି ବିଚାର ଲଢେଇରେ ଆମେ ଟିକେ ପଛେଇ ଯାଇଛେ। ସେଇଥିପାଇଁ ବୋଧ ହୁଏ କେହି କେହି ଦ୍ଵିତୀୟ ସ୍ଵାଧୀନତା ଆନ୍ଦୋଳନ କଥା କହିଲେଣି। ତେବେ ଏ ଗାନ୍ଧୀ ବିଚାର କଣ ? କାହିଁକି ଆମେ ବିଚାର ଲଢେଇରେ ହାରି ଯାଇଛେ ?
ବିଚାର ପାଇଁ ମନ ଦରକାର । ମନରେ ହିଁ ବିଚାର ଜନ୍ମ ନିଏ ଏବଂ ବଞ୍ଚି ରହେ; ଦେହରେ ନୁହେଁ । ମନ ଏଥିପାଇଁ ପ୍ରସ୍ତୁତ ନହେଲେ ବିଚାର ବଞ୍ଚିବା ସମ୍ଭବ ହେବନାହିଁ । ଏବେ କିନ୍ତୁ ମନ ଏଥିପାଇଁ ପ୍ରସ୍ତୁତ ଥିବା ପରି ମନେ ହେଉନାହିଁ। ଯେଉଁ ମନ ମାନେ ସବୁ ଦୃଷ୍ଟିରୁ ବିଚାରକୁ ଆଗେଇ ନେବାପାଇଁ ଯୋଗ୍ୟ ବୋଲି ମନେ ହେଉଛନ୍ତି, ସେଇମାନେ ହିଁ ମନ ଛାଡି ଦେହ ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି।

ଦେହ ନିଆଁ ଓ ମନ ନିଆଁ ଭିତରେ ପ୍ରଭେଦ ଅଛି। ଦେହ ନିଆଁ କ୍ଷଣିକ। ତାହା ଅଳ୍ପ ସମୟରେ ଲଭିଯାଏ; ଆଉଥରେ ନିଆଁ ଲଗାଇବା ପାଇଁ ଉପାଦାନ ଓ ବାହାନ ଲୋଡାପଡେ । ମନ ନିଆଁ କିନ୍ତୁ ଥରେ ଲାଗିଲେ ଆଉ ଲିଭେ ନାହିଁ।

ଗାନ୍ଧୀ ଭାରତୀୟମାନଙ୍କ ମନରେ ଏପରି ନିଆଁ ଲଗାଇଥିଲେ ଯେ ତାହା ଏବେ ମଧ୍ୟ ପୂରାପୂରି ଲିଭିନାହିଁ। ତାକୁ ଲିଭେଇବାକୁ ଯେତେ ଚେଷ୍ଟା କଲେ ବି କେହି ସଫଳ ହେବେ ନାହିଁ। କିନ୍ତୁ ଆମମାନଙ୍କ ମନରେ ସେ କେଉଁ ନିଆଁ ଲଗାଇଥିଲେ ? ସେ ସତ୍ୟାଗ୍ରହର କଥା କହୁଥିଲେ । ସାହସ ଦେଉଥିଲେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଲଢିବା ପାଇଁ। ମଣିଷ ସ୍ଵାବଲମ୍ବୀ ନହେଲେ ସ୍ଵାଭିମାନ ନିରର୍ଥକ। ପରିଶ୍ରମ କାତର ନହୋଇ ନିଜ କାମ ନିଜେ କରି ଶ୍ରମକୁ ସମ୍ମାନ ଦେବା ଗାନ୍ଧିଜୀଙ୍କର ମୂଳ ମନ୍ତ୍ର ଥିଲା । ମୌଳିକ ଶିକ୍ଷା କଥା କହି ଗାନ୍ଧିଜୀ ଆତ୍ମସମ୍ମାନ ଓ ଶ୍ରମକୁ ସମ୍ମାନ ଦେବା କଥା ବୁଝାଇ ଦେଇଥିଲେ। ସର୍ବୋଦୟ ଥିଲା ତାଙ୍କର ଅନ୍ତିମ ଲକ୍ଷ୍ୟ । ସେ ଯେ ଅନେକ କିଛି ନୂଆକଥା କହୁଥିଲେ, ତାହା ନୁହେଁ । ପୁରୁଣା କଥାକୁ ନୂଆ ଢଙ୍ଗରେ କହି ସେ ସାରା ଭାରତକୁ ଯୋଡି ଦେଇଥିଲେ।

ଆଜି ତାଙ୍କ ମହାପ୍ରୟାଣ ଦିବସରେ, ଗାନ୍ଧୀ ବିଚାରକୁ ପୁଣିଥରେ ନୂଆ ଢଙ୍ଗରେ, ନୂଆ ପିଢି ନିକଟରେ ପହଞ୍ଚାଇବାର ଆବଶ୍ୟକତା ଅଛି । ନୂଆ ପିଢି ଦେହ ନିଆଁ ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି; ମନ ନିଆଁ କଥା ଚିନ୍ତା କରୁନାହାନ୍ତି। ଆମ ବିଚାରରେ ଯେଉଁ କଥାଗୁଡିକ ଆଜି ଅତ୍ୟନ୍ତ ଗୁରୁତ୍ଵପୂର୍ଣ ତାହା ହେଲା, ଶ୍ରମକାତରତା ଓ ମୌଳିକ ଶିକ୍ଷା ପ୍ରତି ଉଦାସୀନତା । ଆଧୁନିକ ଗଣତନ୍ତ୍ରର ସଂଖ୍ୟାଖେଳରେ ଭୋଟ୍ ସର୍ବସ୍ଵ ରାଜନୀତି ସବୁ ଦଳଙ୍କୁ ଏପରି ପ୍ରଭାବିତ କରିଛି ଯେ କେହି ଏ ପ୍ରସଙ୍ଗଗୁଡିକ ଉପରେ ଅନାସକ୍ତ ଆଲୋଚନା କରିବାକୁ ପ୍ରସ୍ତୁତ ନୁହନ୍ତି। ବିନା ପରିଶ୍ରମରେ ଯଦି ଦେହ ପାଇଁ ଆବଶ୍ୟକ ପଡୁଥିବା ସବୁ ଉପାଦାନ ମିଳିଯାଉଛି, ତା ହେଲେ କିଏ କାମ କରିବାକୁ ଚାହିଁବ ବା କାହିଁକି? ଜନମଙ୍ଗଳ ରାଷ୍ଟ୍ରମାନେ ଅନ୍ତୁଡିଶାଳରୁ ଶ୍ମଶାନଘାଟ ଯାଏ ସବୁ ଦାୟିତ୍ଵ ନେବାପାଇଁ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ଦଳଗୁଡିକ ମଧ୍ୟରେ ଏଥିପାଇଁ ଏକରକମ ପ୍ରତିଯୋଗିତା ଚାଲିଛି କହିଲେ ଅତ୍ୟୁକ୍ତି ହେବ ନୁହେଁ। ଦାରିଦ୍ର୍ୟ ଦୂରୀକରଣ ନାଆଁରେ କର୍ମ ସଂସ୍କୃତିକୁ ନଷ୍ଟ କରିବା ଏବଂ ସାମାଜିକ ବ୍ୟବସ୍ଥାକୁ ଓଲଟପାଲଟ କରିଦେବା ଆଦୌ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ନୁହେଁ।

ବିନା ପରିଶ୍ରମରେ ଅର୍ଥଲାଭ ପରି, ବିନା ପରୀକ୍ଷାରେ ପାସ୍ ଆମ ଶିକ୍ଷାବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଲାଣି। ସଂଖ୍ୟାଧିକ ପରିଶ୍ରମକାତର ଲୋକ ଅଶିକ୍ଷିତ ହୋଇ ରହିଲେ, ଗଣତନ୍ତ୍ରର ଲଢ଼େଇରେ ଭୋଟ୍ କିଣି ଜିତିବା ଓ କ୍ଷମତା ଦଖଲ କରିବା ଅଧିକ ସହଜ ମନେ ହେଉଛି। ଏହାକୁ ବିରୋଧ କରିବାକୁ କେହି ସାହସ କରୁ ନାହାନ୍ତି। ଗାନ୍ଧିଜୀଙ୍କର ମୌଳିକ ଶିକ୍ଷାକୁ ପଚାରେ କିଏ?

ବଜାର ବ୍ୟବସ୍ଥାରେ ସବୁ କିଛି କିଣାବିକା ହୁଏ। ଏଥିପାଇଁ କେବଳ ଲୋଡ଼ା ଯଥେଷ୍ଟ ଅର୍ଥ। ଏହି ଅର୍ଥ ସର୍ବସ୍ଵ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭୋଟ୍ ଆଉ ଜିଣା ଯାଉନାହିଁ; କିଣା ଯାଉଛି। ଯେତେଦିନ ପର୍ଯ୍ୟନ୍ତ ବିକ୍ରି ହେବା ପାଇଁ ଆମର ନୂଆ ପିଢ଼ି ପ୍ରସ୍ତୁତ ହୋଇ ରହିଥିବେ, ସେତେଦିନ ପର୍ଯ୍ୟନ୍ତ ତାଙ୍କୁ କିଣିବା ପାଇଁ ଅଧର୍ମ ବିତ୍ତର ଉପାସକ ସାଆନ୍ତମାନଙ୍କର ଅଭାବ ରହିବ ନାହିଁ। ଆମ ବିଚାରରେ ଗାନ୍ଧିଜୀଙ୍କ ବିଚାରକୁ ମର୍ଯ୍ୟାଦା ଦେବାକୁ ହେଲେ, ‘‘ଆମେ ବିକ୍ରି ପାଇଁ ପ୍ରସ୍ତୁତ ନୋହୁଁ’’ ବୋଲି କହି ବୁଲିବାକୁ ପଡ଼ିବ। କେବଳ କହିବୁଲିଲେ ହେବ ନାହିଁ; ଆଚରଣ ଓ ଉଚ୍ଚାରଣ ମଧ୍ୟରେ ଗାନ୍ଧିଜୀ ଯେପରି କୌଣସି ପ୍ରଭେଦ ରଖୁ ନଥିଲେ, ଆମକୁ ମଧ୍ୟ ତାହା ହିଁ କରିବାକୁ ପଡ଼ିବ। ଜାତୀୟ ରାଜପଥରେ ଗଲା ବେଳେ ଏବେ ଅନେକ ଜାଗାରେ କିଛି ସାଇନବୋର୍ଡ଼ ଦେଖିବାକୁ ମିଳୁଛି- ‘‘ଏ ଜାଗା ବିକ୍ରି ପାଇଁ ନୁହେଁ।’’ ସେହିପରି ଆମ ଓଡ଼ିଶାର ଯୁବପିଢ଼ି ଯଦି ନିଜ ଛାତିରେ ନିଜ ଛାତିରେ ‘‘ମୁଁ ବିକ୍ରି ପାଇଁ ନୁହେଁ’’ ବୋଲି ସୂଚନାଫଳକ ମାରି, ଛାତି ଫୁଲାଇ ଚାଲିବେ, ତାହା ହେବ ଏହି ସହିଦ୍ ଦିବସରେ ଗାନ୍ଧୀଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

Comments

Leave a Reply

*

Shares