Blog

DSC09987

‘ସମ୍ବାଦ’ର ବ୍ରତଘର

DSC09987

କାଲି ପରି ଲାଗୁଛି। ୩୨ ବର୍ଷ ତଳେ ଅନେକ ପ୍ରତିଶ୍ରୁତି ନେଇ ‘ସମ୍ବାଦ’ ଜନ୍ମଲାଭ କରିଥିଲା। ‘ବାସି ଖବରର ଯୁଗ ଶେଷ, ଆଜିର ଖବର ଆଜି’, ‘ଆଖି ରହିବ ଲାଖି’, ‘ସାତରୁ ସତୁରି ସମସ୍ତେ ଖୁସି’ ଏବଂ ‘ପ୍ରତି ରବିବାର ରଙ୍ଗର ଦିନ’ ଏହିପରି ଚାରିଟି କଥା କହି ‘ସମ୍ବାଦ’ ଗ୍ରାହକ ଓ ପାଠକଙ୍କର ମନ ଜିଣିବା ପାଇଁ ଉଦ୍ୟମ କରିଥିଲା। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଆ ପାଠକମାନେ ତାଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ ଆମ ଉପରେ ଢାଳି ଦେଇଥିଲେ। ଏହା ଫଳରେ ‘ସମ୍ବାଦ’ ଆଜି ଓଡ଼ିଶାର ସର୍ବାଧିକ ପ୍ରସାରିତ ଓ ପଠିତ କାଗଜର ମାନ୍ୟତା ପାଇଛି। ଏଥିପାଇଁ ଗ୍ରାହକ, ପାଠକଙ୍କ ସହିତ ଅଗଣିତ ବିଜ୍ଞାପନଦାତାଙ୍କ ନିକଟରେ ଆମେ କୃତଜ୍ଞ।

‘ସମ୍ବାଦ’ର ଶୈଶବ କଥା ମନେପଡ଼ିଲେ ଆଜି ପରୀକାହାଣୀ ପରି ଲାଗୁଛି। ବିଜ୍ଞାନ ଓ କାରିଗରୀ କୌଶଳର ଉପଯୋଗ କରି, କଂପ୍ୟୁଟର ମାଧ୍ୟମରେ ଅକ୍ଷରସଜ୍ଜା କରି, ପ୍ରଭାତୀ ସଂସ୍କରଣ ପ୍ରକାଶ କରିବା ଯେ ସେଦିନ କେତେ କଷ୍ଟକର ଥିଲା, ତାହା ଆଜି ନୂଆ ପିଢ଼ିର ସାମ୍ବାଦିକମାନେ ଅନୁଭବ କରିବା ଦୂରେ ଥାଉ, ବିଶ୍ୱାସ ବି କରିବେ ନାହିଁ। ସବୁଦିନ ନ ହେଲା ନାହିଁ, ରବିବାର ଦିନଟି କାଗଜ ରଙ୍ଗିନ ହେଉ, ଏହା ଆମ ପାଇଁ ସ୍ୱପ୍ନ ଥିଲା। ଏବେ ତ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସବୁ କାଗଜ ଶତକଡ଼ା ଶହେ ରଙ୍ଗିନ। ସେଦିନ ‘ସମ୍ବାଦ’ର ପୃଷ୍ଠାଗୁଡ଼ିକରେ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ାଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ପାଠକଙ୍କ ପାଇଁ କିଛି ନା କିଛି ପଢ଼ିବାକୁ ରହୁଥିଲା। ୩୨ ବର୍ଷ ତଳେ ଏଇ କଥାଗୁଡ଼ିକୁ ନେଇ ‘ସମ୍ବାଦ’ କେବଳ ଗର୍ବ ଅନୁଭବ କରୁନଥିଲା, ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ନିଜକୁ ପ୍ରମାଣିତ କରି ପାରିଥିଲା। ଏବେ କିନ୍ତୁ ଏସବୁ ଦେହସୁହା ହୋଇଗଲାଣି।

ଆଜି ସମୟ ବଦଳିଛି। ୩୨ ବର୍ଷ ତଳେ ଆମେ ପାଠକଙ୍କର ରୁଚି ଓ ଅଭ୍ୟାସ ବଦଳାଇବାକୁ ଚେଷ୍ଟା କରିଥିଲୁ। ଦିନରେ ନୁହେଁ, ରାତି ଅନିଦ୍ରା ରହି ଖବରକାଗଜ ଛାପୁଥିଲୁ। ସଞ୍ଜରେ ନୁହେଁ, ସକାଳେ ତାଜା ଖବର ପଢ଼ନ୍ତୁ ବୋଲି ପାଠକମାନଙ୍କୁ ଆହ୍ଵାନ ଦେଉଥିଲୁ। ସେଥିପାଇଁ ସେଦିନ ଆମର ସ୍ଲୋଗାନ ଥିଲା ‘ବାସି ଖବରର ଯୁଗ ଶେଷ’। ପାଠକଙ୍କର ଅଭ୍ୟାସ ବଦଳାଇବାରେ ଆମେ ସଫଳ ହୋଇଥିଲୁ। ଆମର ସୁଯୋଗ୍ୟ ପ୍ରତିଦ୍ୱନ୍ଦ୍ୱୀମାନେ ଆମକୁ ଅନୁକରଣ କରିବା ପାଇଁ ବାଧ୍ୟ ହୋଇଥିଲେ। କିନ୍ତୁ ଏତେ ଶୀଘ୍ର ଯେ ଆମକୁ ନିଜ ଅଭ୍ୟାସ ବଦଳାଇବାକୁ ପଡ଼ିବ, ଏହା ଆମେ କଳ୍ପନା କରିନଥିଲୁ। ‘ଆଜିର ଖବର ଆଜି’ ଆଉ ଚଳିବ ନାହିଁ। ଆଜିର ଇଣ୍ଟରନେଟ୍‌ ଓ ଡିଜିଟାଲ ଯୁଗରେ ସ୍ମାର୍ଟ ଫୋନ୍‌କୁ ନିଜର ଅଙ୍ଗବସ୍ତ୍ରଠାରୁ ଅଧିକ ଭଲ ପାଉଥିବା ନୂଆ ପିଢ଼ିର ପାଠକମାନେ ‘ଏବେର ଖବର ଏବେ’ ଚାହୁଛନ୍ତି। ପରଦିନ ସକାଳକୁ ଅପେକ୍ଷା କରିବାକୁ ସେମାନେ ପ୍ରସ୍ତୁତ ନୁହନ୍ତି। ପାଠକଙ୍କର ଏ ଆହ୍ଵାନକୁ ଆମେ ଗ୍ରହଣ କରିଛୁ। ‘ସମ୍ବାଦ’ ସେମାନଙ୍କର ଇଚ୍ଛା ଅନୁସାରେ ନୂଆ ଢଙ୍ଗରେ ତାଙ୍କୁ ସେବା ଦେବା ପାଇଁ ଆଜି ପ୍ରସ୍ତୁତ ହୋଇଛି। www.sambad.in ନାମରେ ‘ସମ୍ବାଦ’ ଆରମ୍ଭ କରୁଛି ତାହାର ନୂଆ ୨୪x୭ ନିଉଜ୍‌ ପୋର୍ଟାଲ।

ଆମ ପରଂପରାରେ ବ୍ରାହ୍ମଣମାନଙ୍କୁ ‘ଦ୍ୱିଜ’ କୁହାଯାଏ। କାରଣ ସେମାନେ ଦୁଇଥର ଜନ୍ମ ନେଇଥାଆନ୍ତି। ଦ୍ୱିତୀୟଥରର ଜନ୍ମୋତ୍ସବ ହୁଏ ବ୍ରତୋପନୟନ ସମୟରେ। ଆଜି ‘ସମ୍ବାଦ’ର ବ୍ରତଘର ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ନୂଆ ଦୁନିଆର ମୁକାବିଲା ପାଇଁ ‘ସମ୍ବାଦ’ ଆଜି ପ୍ରସ୍ତୁତ ହୋଇଛି। କିନ୍ତୁ ପ୍ରଥମ ଜନ୍ମ ସମୟର ସଂକଳ୍ପ ଅତୁଟ ରହିଛି। ଓଡ଼ିଆ ଭାଷା ଓ ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ‘ସମ୍ବାଦ’ ମୂଳରୁ ପକ୍ଷଭୁକ୍ତ। ଗୋଟିଏ ଦୃଷ୍ଟିରୁ ଓଡ଼ିଶାର ଭାଷା ସୁରକ୍ଷା ଆନ୍ଦୋଳନ ‘ସମ୍ବାଦ’ର ନବଜନ୍ମ ଦ୍ୱାରା ଆହୁରି ଅଧିକ ମଜଭୁତ ହେବ। କାରଣ, ବିଜ୍ଞାନ ଓ କାରିଗରୀ କୌଶଳ ସହିତ ସନ୍ଧି ନ କଲେ ଓଡ଼ିଆ ଭାଷା ନୂଆ ପିଢ଼ିର ମନ ଜିଣି ପାରିବ ନାହିଁ। ନୂଆ ପିଢ଼ିକୁ ଓଡ଼ିଆ ଓ ଓଡ଼ିଶା ମନସ୍କ ନ କରିପାରିଲେ ଓଡ଼ିଶାର ସ୍ୱାର୍ଥରକ୍ଷା ହେବ କିପରି? ଆମ ବିଚାରରେ ନୂଆ ଦୁନିଆର ଏ ଚାପ ଆମ ସମସ୍ତଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଛି।

‘ସମ୍ବାଦ’ର ଆଜିର ଏହି ବ୍ରତଘର ଅବସରରେ ମୁଁ ପୂର୍ବପରି ପାଠକ, ଗ୍ରାହକ ଓ ବିଜ୍ଞାପନଦାତାଙ୍କର ଆଶୀର୍ବାଦ କାମନା କରୁଛି।

Comments

Leave a Reply

*

Shares