Blog

blog-image-sp-one

୩୧ ବର୍ଷ ପରେ…

ସୌମ୍ୟରଂଜନ ପଟ୍ଟନାୟକ: ୩୧ ବର୍ଷ ତଳେ ଆଜିର ତାରିଖରେ ‘ସମ୍ବାଦ’ ଆତ୍ମପ୍ରକାଶ କରିଥିଲା। ସ୍ଵାଭାବିକ ଭାବରେ ସେଦିନର କଥା ମନେ ପଡ଼ିଯାଉଛି। ସେତେବେଳେ ଆମେ ଅନେକ ନୂଆ କଥା ନେଇ ଖବରକାଗଜ ଶିଳ୍ପରେ ପ୍ରବେଶ କରିଥିଲୁ। କିନ୍ତୁ ଖବରର ଶୀର୍ଷକ ସେଇ ଅନାହାର ମୃତ୍ୟୁ ଓ ଦାରିଦ୍ର୍ୟ ଥିଲା। ଶିକ୍ଷା ଦୃଷ୍ଟିରୁ ଓଡ଼ିଶା ବେଶ୍ ପଛୁଆ ଥିଲା। ମଧ୍ୟାହ୍ଣଭୋଜନ ଦେଇ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବାର ଯୋଜନା ଆରମ୍ଭ ହୋଇ ନଥିଲା। ଓଡ଼ିଶାର ସ୍ଵାସ୍ଥ୍ୟସେବା ମଧ୍ୟ ବହୁ ପଛରେ ଥିଲା। ଶିଶୁ ଓ ମାତୃ ମୃତ୍ୟୁହାର ଓଡ଼ିଶାରେ ବେଶ୍ ଅଧିକ ଥିଲା। ୩୧ ବର୍ଷ ପରେ ଆଜିର ଶୀର୍ଷକ ହେଲା ୪ କୋଟି ୨୦ ଲକ୍ଷ ଓଡ଼ିଆଙ୍କ ମଧ୍ୟରୁ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଖାଦ୍ୟ ନିରାପତ୍ତା ଆଇନ ଉପରେ ନିର୍ଭର କରିବାକୁ ପଡୁଛି। ମଧ୍ୟାହ୍ଣଭୋଜନ ଓ ସର୍ବଶିକ୍ଷା ଅଭିଯାନ ସତ୍ତ୍ୱେ ଏବେ ବି ଆମର ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ପଞ୍ଚମ ଶ୍ରେଣୀର ପାଠ ଆୟତ୍ତ କରି ପାରୁ ନାହାନ୍ତି। ସେତେବେଳେ ସାକ୍ଷରତା ହାର କମ୍ ଥିଲା। ଆଜି ସାକ୍ଷରତା ହାର କାଗଜକଲମରେ ବଢ଼ିଛି ସତ, କିନ୍ତୁ ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ ଓ ଅନ୍ୟ ମୁଖିଆମାନେ ଓଡ଼ିଆ ଅକ୍ଷର ବ୍ୟବହାର କରିବା ପାଇଁ ଇଚ୍ଛୁକ ନୁହନ୍ତି। ସେହିପରି ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ତୁଳନାତ୍ମକ ଦୃଷ୍ଟିରୁ କମିଥିଲେ ମଧ୍ୟ କଟକ ଶିଶୁଭବନ ଘଟଣା ଆଜି ବି ଆମ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ମନେ ହେଉଛି।

ଗତକାଲିର ଆଉ ଏକ ଖବରର ଶୀର୍ଷକ ହେଲା- ଓଡ଼ିଶାର ପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଛି। ଓଡ଼ିଶାର ରାଜନୈତିକ ଇତିହାସ ସଂପର୍କରେ ସର୍ବନିମ୍ନ ଖବର ରଖୁଥିବା ଲୋକଙ୍କ ପାଇଁ ଏହାଠାରୁ ବଡ଼ ବିଡ଼ମ୍ବନା ଆଉ କିଛି ହୋଇ ନପାରେ। ଦିନ ଥିଲା ଆମ ଛାତ୍ରଛାତ୍ରୀମାନେ ଓଡ଼ିଶାର ସବୁ ସାମାଜିକ ଓ ରାଜନୈତିକ ଆନ୍ଦୋଳନର ସୂତ୍ରଧର ଥିଲେ। ସବୁପ୍ରକାର ପରିବର୍ତ୍ତନର ସ୍ଵର ମହାବିଦ୍ୟାଳୟ ପରିସରରୁ ଆରମ୍ଭ ହେଉଥିଲା ଏବଂ ମହାବିଦ୍ୟାଳୟର କ୍ୟାମ୍ପସ୍ରେ ସବୁ ଆନ୍ଦୋଳନର ବୀଜ ବପନ ହେଉଥିଲା। ଆଜି କିନ୍ତୁ ଦେଖାଯାଉଛି, ବିଶ୍ଵବିଦ୍ୟାଳୟ ବାହାର ଦୁନିଆକୁ ପ୍ରଭାବିତ କରିବା ପରିବର୍ତ୍ତେ ବାହାର ଦୁନିଆର ତତ୍ତ୍ଵ ଓ ଅଣଛାତ୍ରମାନେ ବିଶ୍ଵବିଦ୍ୟାଳୟକୁ ପ୍ରଭାବିତ କରୁଛନ୍ତି। ମୋଟାମୋଟି ଭାବେ ଆମ ଓଡ଼ିଶାର ଛାତ୍ର ସମାଜ, ବୁଦ୍ଧିଜୀବୀ, ବିଶିଷ୍ଟ ବର୍ଗ ଓ ନାଗରିକ ସମାଜ ନିଜକୁ ଅତ୍ୟନ୍ତ ଅସହାୟ ମନେ କରୁଛନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟସ୍ରୋତରୁ ସେମାନେ ଏକରକମ ବିତାଡ଼ିତ ହୋଇଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏଭଳି ଏକ ପରିସ୍ଥିତିରେ ଗୋଟିଏ ଗଣମାଧ୍ୟମ ଏବଂ ବିଶେଷ କରି ଏକ ମୁଦ୍ରଣ ଗଣମାଧ୍ୟମ ତା’ର ସ୍ଵନକ୍ଷତ୍ରରେ କି ପ୍ରକାର ସଂକଳ୍ପ ନେଇପାରିବ? ଆଜିର ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକ ମୁଦ୍ରଣ ଗଣମାଧ୍ୟମର ଭୂମିକା କ’ଣ ହେବା ଉଚିତ? ୩୧ ବର୍ଷ ତଳେ ଆମେ କେବଳ ନୂଆ କାରିଗରୀ କୌଶଳ, ଭିନ୍ନ ସ୍ଵାଦ, ରୁଚି ଓ ପରିପାଟୀର ପରିଚୟ ଦେଇ ନଥିଲୁ; ଖବରକାଗଜର ଗତାନୁଗତିକ ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଆଣିଥିଲୁ। ଗୋଟିଏ ଖବରକାଗଜ କେବେ ବି ନିରପେକ୍ଷ ହୋଇ ନପାରେ। ଏହା ଏକ ଶିଳ୍ପ ଓ ବ୍ୟାବସାୟିକ ଅନୁଷ୍ଠାନ ହୋଇଥିବାରୁ ଗୋଟିଏ ଖବରକାଗଜ ପକ୍ଷରେ ନିରପେକ୍ଷତା ଆଦୌ ସମ୍ଭବ ନୁହେଁ। ଆମେ ସେଥିପାଇଁ ନିଜକୁ ମୂଳରୁ ପକ୍ଷଭୁକ୍ତ କରିଥିଲୁ; କିନ୍ତୁ ଆମ ପକ୍ଷଟିକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲୁ। ଓଡ଼ିଶାର ସ୍ଵାର୍ଥ ଓ ସ୍ଵାଭିମାନ ପାଇଁ ଆମେ ପକ୍ଷଭୁକ୍ତ ବୋଲି ମୂଳରୁ ଘୋଷଣା କରିଥିଲୁ। ଆଜି ମଧ୍ୟ ପୁଣି ଥରେ ସେହି ଘୋଷଣା ଦୋହରାଉଛୁ। ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବୋଲି କହି ଅନେକେ ଆତ୍ମସନ୍ତୋଷ ଲାଭ କରନ୍ତି। ଆମ ବ୍ୟବସ୍ଥାର ଅନ୍ୟ ତିନିଟି ସ୍ତମ୍ଭ ପରି ସମ୍ମାନ ଓ ସ୍ଵୀକୃତି ଦାବି କରିବା ସହିତ ସେଥିରୁ ବିଚ୍ୟୁତି ଘଟିଲେ ଭୟ ପ୍ରଦର୍ଶନ କରିବା ପାଇଁ ସଂକୋଚ କରନ୍ତି ନାହିଁ। ଭୟ ନୁହେଁ, ଶ୍ରଦ୍ଧା ହେଲା ଆମର ମୂଳମନ୍ତ୍ର। ଅଧିକ ଏକ ଟଙ୍କା ଦେଇ ଆମକୁ ପ୍ରତିଦିନ କିଣୁଥିବା ପାଠକଟି ହିଁ ଆମ ପାଇଁ ସବୁଠାରୁ ମୂଲ୍ୟବାନ୍। ଆମେ ସେଇମାନଙ୍କ ପ୍ରତି ଉତ୍ତରଦାୟୀ। ଗଣତାନ୍ତ୍ରିକ ରାଷ୍ଟ୍ର ଯେତେବେଳେ ଅବକ୍ଷୟମୁଖୀ ହୁଏ, ନାଗରିକ ସମାଜ ସେଇ ଅବକ୍ଷୟକୁ ରୋକିବା ଲାଗି ସକ୍ରିୟ ହେବା ଉଚିତ। ଆମ ବିଚାରରେ ନାଗରିକ ସମାଜକୁ ସକ୍ରିୟ କରିବା ପାଇଁ ଗଣମାଧ୍ୟମର ଏକ ଗୁରୁଦାୟିତ୍ଵ ରହିଛି। ବିଶେଷ କରି ମୁଦ୍ରଣ ଗଣମାଧ୍ୟମ ଶିକ୍ଷିତ ଅଥଚ ସଂଖ୍ୟାନ୍ୟୂନ ସଚେତନ ବର୍ଗକୁ ନିଜର ଅସହାୟତାବୋଧର ଗ୍ଳାନିରୁ ମୁକ୍ତି ଦେଇ ସକ୍ରିୟ ହେବା ପାଇଁ ଉତ୍ସାହିତ କରିବା ଦରକାର। ଗଣତାନ୍ତ୍ରିକ ରାଷ୍ଟ୍ର ସଂଖ୍ୟା ଖେଳରେ ବିଶ୍ଵାସ କରେ। ସଂଖ୍ୟାଧିକ ଭୋଟର ବିଭିନ୍ନ କଲ୍ୟାଣକାରୀ ଯୋଜନା ନାଆଁରେ ବିକ୍ରି ହେବା ପାଇଁ ପ୍ରସ୍ତୁତ। ରାଷ୍ଟ୍ରକୃପାର ଲୋଭ ଆଜି ସମସ୍ତଙ୍କୁ ଏପରି ଗ୍ରାସ କରିଛି ଯେ ଏ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ଅସମ୍ଭବ ମନେ ହେଉଛି। ଆମ ବିଚାରରେ ଏହା ସହଜ ନହେଲେ ବି ଅସମ୍ଭବ ନୁହେଁ। ଗଣମାଧ୍ୟମ ତା’ର ପାଠକୀୟ ବିଶ୍ଵସନୀୟତାକୁ ନେଇ ପରିବର୍ତ୍ତନର ସ୍ଵର ଉତ୍ତୋଳନ କରିବା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିପାରିବ। ଆମେ ମୂଳରୁ କହିଛୁ, ଲୋକଙ୍କୁ ଲୋକଙ୍କ ସହିତ ଯୋଡ଼ିବା, ସମସ୍ୟାକୁ ସମାଧାନର ନିକଟତର କରିବା ଗଣମାଧ୍ୟମର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ।

ଆଜିର ସ୍ଵନକ୍ଷତ୍ରରେ ଏହି ଗୁରୁଦାୟିତ୍ଵ ସ୍ମରଣ କରି, ପୁଣିଥରେ ଓଡ଼ିଶାରେ ଆବଶ୍ୟକ ପଡୁଥିବା ପରିବର୍ତ୍ତନର ସ୍ଵର କିପରି ଉଚ୍ଚ ହେବ ଏବଂ ମୁଖ୍ୟସ୍ରୋତରୁ ବିତାଡ଼ିତ ହୋଇଥିବା ଛାତ୍ରସମାଜ, ବିଶିଷ୍ଟ ବର୍ଗ ଏବଂ ନାଗରିକ ସମାଜ କିପରି ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟସ୍ରୋତକୁ ଫେରି ଆସିବେ, ସେଥିପାଇଁ ସଂକଳ୍ପ ନେବା।

Comments

Leave a Reply

*

Shares