Blog

BJD

ଅବହେଳା, ଅହଂକାର ଓ ଭୟ

 

BJD

ବିରୋଧୀ ଦଳର ନେତା ଶ୍ରୀ ନରସିଂହ ମିଶ୍ରଙ୍କ ଆହ୍ଵାନ କ୍ରମେ ମହାନଦୀର ଜଳସଂକଟ ନେଇ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଷମତାସୀନ ବିଜେଡି ଓ ସମାଜବାଦୀ ପାର୍ଟି ଛଡ଼ା ପ୍ରାୟ ଅନ୍ୟ ସମସ୍ତ ବିରୋଧୀ ଦଳ ଏହି ବୈଠକରେ ଯୋଗ ଦେଇଥିଲେ। ମହାନଦୀର ଜଳ ସଂକଟ ପରି ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗରେ ଏଭଳି ଏକ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆହୂତ ହେବା କଥା। ଶ୍ରୀଯୁକ୍ତ ନରସିଂହ ମିଶ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଏକ ବୈଠକ ଡାକିବା ପାଇଁ ଦୁଇ ଦୁଇଥର ଅନୁରୋଧ କରିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ତାହା ଗ୍ରହଣ କଲେ ନାହିଁ। ତେଣୁ ଶ୍ରୀଯୁକ୍ତ ମିଶ୍ର ବାଧ୍ୟ ହୋଇ ଏହି ବୈଠକ ଡାକିଲେ ବୋଲି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ନେତା। ତାଙ୍କ ପଛରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଅଛି। ଏପରି ଏକ ବୈଠକକୁ ଡାକିବା ପାଇଁ ସେ ଚାହିଁଲେ ନାହିଁ କାହିଁକି? ଭୟ ନା ଅହଂକାର! ଆମ ବିଚାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଯୋଡ଼ିବାର ଏକ ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିଛନ୍ତି। ବ୍ରହ୍ମ ବିଭ୍ରାଟଠାରୁ ଆରମ୍ଭ କରି ରାସନକାର୍ଡ ଦୁର୍ନୀତି, ଗୁମୁଡୁମାହା, ନଗଡ଼ା ଏବଂ ଡେଙ୍ଗୁ ଆଦି ପ୍ରସଙ୍ଗରେ ଅଡ଼ୁଆ ପରିସ୍ଥିତିରେ ପଡ଼ିଥିବା ବେଳେ ଜଗନ୍ନାଥ ନବୀନବାବୁଙ୍କ ହାତକୁ ମହାନଦୀର ଜଳ ସଂକଟ ପରି ଏକ ପ୍ରସଙ୍ଗ ଟେକି ଦେଇଥିଲେ। ମୁଖ୍ୟମନ୍ତ୍ରୀ ଚାହିଁଥିଲେ, ସାରା ଓଡ଼ିଶାକୁ ଏହାକୁ ନେଇ ଯୋଡ଼ି ପାରିଥାନ୍ତେ। ନିଜର ନେତୃତ୍ୱର ସର୍ବମାନ୍ୟତାକୁ ପ୍ରତିପାଦିତ କରିପାରିଥାନ୍ତେ।

ଏଣେ ଖବର କାଗଜରେ ଦଳ ତରଫରୁ ବିଜ୍ଞାପନ ଦେଉଛନ୍ତି ‘ମହାନଦୀର ଜଳ, ଓଡ଼ିଶାର ବଳ’। ଏହା ତାଙ୍କ ଦଳର ପୁରୁଣା ବିଜ୍ଞାପନ ‘ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବଳ’କୁ ମନେ ପକାଇ ଦେଉଛି। ମହାନଦୀର ଜଳସଂକଟ ପ୍ରସଙ୍ଗକୁ ଜାଣିଶୁଣି ଏକ ରାଜନୈତିକ ସମସ୍ୟା ରୂପେ ଉପସ୍ଥାପିତ କରିବା ଦ୍ୱାରା ଓଡ଼ିଶାକୁ ପୁଣି ଭାଗଭାଗ କରିଦେବା ପାଇଁ ଉଦ୍ୟମ ହେଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ମହାନଦୀକୁ ଓଡ଼ିଶାର ଜୀବନରେଖା ବୋଲି କହି ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ବିଜେଡି ସଂକଳ୍ପ ନେଇଛି, ଅଥଚ ସଂଗ୍ରାମରେ ବିଜୟ ଲାଭ କରିବା ପାଇଁ ସର୍ବନିମ୍ନ ପ୍ରସ୍ତୁତି ନାହିଁ। ଯେ କୌଣସି ସଂଗ୍ରାମରେ ସଫଳ ହେବାକୁ ହେଲେ ପ୍ରଥମ ଆବଶ୍ୟକତା ହେଲା ଶତ୍ରୁ ଚିହ୍ନଟ, ତାର ଶକ୍ତିର ଆକଳନ ଏବଂ ଏହାର ମୁକାବିଲା ପାଇଁ ନିଜ ପାଖରେ ଥିବା ଶକ୍ତି ଓ ସାମର୍ଥ୍ୟର ଉପଯୁକ୍ତ ବିନିଯୋଗ ଏବଂ ପ୍ରସ୍ତୁତି। ସରକାର କିମ୍ବା ଦଳ ପାଖରେ ଏ ସଂପର୍କରେ ସର୍ବନିମ୍ନ ତଥ୍ୟ କି ସୂଚନା ନାହିଁ। ମନଗଢ଼ା ଓ ବେଳେବେଳେ ଅତିରଞ୍ଜିତ ବିପଦର କଥା କହି ଜନସାଧାରଣଙ୍କୁ ଅଯଥାରେ ଆତଙ୍କିତ କରାଯାଉଛି। ଗତ କିଛିଦିନ ଧରି ସରକାର ଓ ସରକାରୀ ଦଳର ମୁଖପାତ୍ରଙ୍କଠାରୁ ଆମେ କେବଳ ଗୋଟିଏ କଥା ଶୁଣି ଆସୁଛୁ। ଛତିଶଗଡ଼ ସରକାରଙ୍କର ଆମେ କୌଣସି ଚିଠି ପାଇନାହୁଁ। ୨୦୦୬ ମସିହାଠାରୁ ଛତିଶଗଡ଼ ସରକାର ବିଭିନ୍ନ ସମୟରେ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଛନ୍ତି। ଲକ୍ଷ୍ୟ କରିବାର କଥା ଯେ, ସବୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବା କେନ୍ଦ୍ରକୁ ଚିଠି ଲେଖିବାରେ ଅଭ୍ୟସ୍ତ ନବୀନ ବାବୁ ତାଙ୍କ ପାଖକୁ ଲେଖାଯାଇଥିବା ଏତେ ଗୁଡ଼ିଏ ଚିଠି ମଧ୍ୟରୁ ଗୋଟିଏ ବି ଚିଠି ପାଇଲେ ନାହିଁ। ଏହା ବିଡ଼ମ୍ବନା ନୁହେଁ ତ ଆଉ କ’ଣ?

ଅସଲ କଥାଟି ହେଲା ଜଳସଂପଦ ବିଭାଗ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ। ଏ ବିଭାଗର ଅବହେଳା କଥା ଉଠିଲେ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହେବ। ତେଣୁ ଦଳ ଓ ଶାସନର ସବୁସ୍ତରରେ ଏଭଳି ଏକ ପ୍ରସଙ୍ଗ ଉଠାଇବା ପାଇଁ ସମସ୍ତେ ଭୟ କରନ୍ତି। ସାହସ କୁଳେଇ ପାରିନାହାନ୍ତି। ନେଡ଼ିଗୁଡ଼ କହୁଣିକୁ ବୋହିଗଲା ପରେ ଯାହା ହେବା କଥା ତାହା ହିଁ ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ନିଜେ ଏଭଳି ଅବହେଳା ପ୍ରଦର୍ଶନ କରିବା ଆଦୌ ଗ୍ରହଣୀୟ ନୁହେଁ। ତେବେ ବର୍ତ୍ତମାନ ପରସ୍ପର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଦୋଷାରୋପର ସମୟ ନୁହେଁ। ସାରା ଓଡ଼ିଶାକୁ ଏକାଠି କରି ଏଭଳି ଏକ ସଂକଟର କିଭଳି ମୁକାବିଲା କରାଯିବ, ସେ କଥା ମୁଖ୍ୟମନ୍ତ୍ରୀ ଗମ୍ଭୀରତାର ସହ ଚିନ୍ତା କରିବା ଉଚିତ। ମୁଖ୍ୟମନ୍ତ୍ରୀ ଏହି ଆହ୍ଵାନକୁ ଗ୍ରହଣ କରି ଓଡ଼ିଶାର ନେତୃତ୍ୱ ନିଅନ୍ତୁ। ବିଜୁ ଜନତା ଦଳକୁ ବାଦ ଦେଇ ଯେପରି ସାରା ଓଡ଼ିଶା କଥା ଚିନ୍ତା କରାଯାଇ ନ ପାରେ, ସେହିପରି ବିଜୁ ଜନତାଦଳ ଏକାକୀ ଓଡ଼ିଶାର ପ୍ରତିନିଧିତ୍ୱ କରିପାରିବ ନାହିଁ। ନବୀନବାବୁ ସଂଖ୍ୟା ଖେଳରେ ଜିତିଥିଲେ ମଧ୍ୟ ଅର୍ଦ୍ଧାଧିକ ଓଡ଼ିଶା ତାଙ୍କୁ ସମର୍ଥନ ଦେଇ ନାହିଁ। ଆମର କାହିଁକି ମନେ ହେଉଛି ସଂଖ୍ୟାର ଅହଂକାରରେ ନବୀନବାବୁ ନିଜ ଅବହେଳାକୁ ଘଣ୍ଟ ଘୋଡ଼ାଇବାକୁ ଚାହୁଁଛନ୍ତି। ଇଂରାଜୀରେ ପ୍ରବାଦ ଅଛି ‘Offence is the best defence’। ସାଂପ୍ରତିକ ପରିସ୍ଥିିତିରେ ଏହା ଏକ ବିପଜ୍ଜନକ କୌଶଳ ବୋଲି ଆମେ ମନେ କରୁଛୁ। ନିଜ ବିଭାଗର ଅବହେଳାକୁ ଲୋକଲୋଚନରୁ ଦୂରେଇ ଦେବା ପାଇଁ ସମଗ୍ର ପ୍ରସଙ୍ଗଟିକୁ ରାଜନୈତିକ ରୂପ ଦେଇ ନିଜ ଦଳକୁ ଏଥିରେ ପୂରା ମାତ୍ରାରେ ଲଗାଇ ଦେଇଛନ୍ତି। ସମୁଦାୟ ବ୍ୟାପାରରେ ଆମର କାହିଁକି ମନେ ହେଉଛି ନବୀନବାବୁ କେଉଁଠି ଟିକିଏ ଭୟ ପାଇଯାଇଛନ୍ତି। ମହାନଦୀର ଉପର ମୁଣ୍ଡରେ ନିର୍ମାଣ ହେବାକୁ ଯାଉଥିବା ବ୍ୟାରେଜ ଏବଂ ବନ୍ଧଗୁଡ଼ିକ ତାଙ୍କୁ ଯେତିକି ବିବ୍ରତ କରୁନାହିଁ, ତାହାଠାରୁ ଅଧିକ ଭୟ ସଂଚାର କରୁଛି ତାଙ୍କ ମୁଣ୍ଡ ଉପରେ ଥିବା ପଞ୍ଚାୟତ ନିର୍ବାଚନ। ନିର୍ବାଚନରେ ଜିତିବା ଲକ୍ଷ୍ୟ ଛଡ଼ା ନବୀନବାବୁଙ୍କର ଅନ୍ୟ କୌଣସି ଲକ୍ଷ୍ୟ ନାହିଁ। ବାରମ୍ବାର ନିର୍ବାଚନ ଜିତିବାର କୌଶଳକୁ ସେ ନିଶ୍ଚିତ ଭାବରେ ହାତେଇ ପାରିଛନ୍ତି। ମହାନଦୀର ଜଳସଂକଟକୁ ଏଥିପାଇଁ ବିନିଯୋଗ କରିବାକୁ ସେ ଆଦୌ ସଂକୋଚ କରିବେ ନାହିଁ। ଏହା ଯେ ମହାନଦୀ ଉପରେ ନିର୍ଭର କରୁଥିବା ୧୫ ଗୋଟି ଜିଲ୍ଲାର ଓଡ଼ିଆଙ୍କ ପ୍ରତି ଏକ କ୍ରୂର ଉପହାସ, ଏହା ନିଃସନ୍ଦେହରେ କୁହାଯାଇ ପାରେ।

ଏବେ ବି ସମୟ ଅଛି ନବୀନବାବୁ ଅହଂକାରକୁ ପରିହାର କରନ୍ତୁ। ଅବହେଳାକୁ ସ୍ୱୀକାର କରିବାର ମହାନତା ଦେଖାନ୍ତୁ। ଜଳସଂକଟର ପ୍ରକୃତ ସ୍ୱରୂପ ସଂପର୍କରେ ବୈଜ୍ଞାନିକ ଜ୍ଞାନ କୌଶଳ ଓ ବିଶେଷଜ୍ଞମାନଙ୍କୁ ଲଗାଇ ସଠିକ ତଥ୍ୟ ଓଡ଼ିଶାବାସୀଙ୍କ ଆଗରେ ଏକ ଶ୍ୱେତପତ୍ର ମାଧ୍ୟମରେ ଉପସ୍ଥାପିତ କରନ୍ତୁ। ସାରା ଓଡ଼ିଶାକୁ ଯୋଡ଼ି ଏଭଳି ସଂକଟର ମୁକାବିଲା ପାଇଁ ଆହ୍ଵାନ ଦିଅନ୍ତୁ। ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କ ଆହ୍ଵାନକୁ ଗ୍ରହଣ କରିବେ ଏବଂ ତାଙ୍କ ନେତୃତ୍ୱ ପ୍ରତି ଅକୁଣ୍ଠ ସମର୍ଥନ ଦେବେ ବୋଲି ଆମର ଦୃଢ଼ ବିଶ୍ୱାସ। ଏ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ, ଅନ୍ୟଥା ପରିଣାମ ପାଇଁ ନିଜେ ହିଁ ଦାୟୀ ରହିବେ।

Comments

Leave a Reply

*

Shares