ଅହଂକାର ଲଡ଼ୁ
ସୌମ୍ୟରଂଜନ ପଟ୍ଟନାୟକ: ଆଜି ବରଗଡ଼ ଜିଲ୍ଲାର ସୋହେଲାଠାରେ ବିଜୁ ଜନତା ଦଳ ତରଫରୁ ଲକ୍ଷାଧିକ ଲୋକଙ୍କର ଏକ ସମାବେଶ ଅନୁଷ୍ଠିତ ହେଉଛି। ଏହି ସମୟରେ ଏଭଳି ଏକ ସମାବେଶର ଆୟୋଜନ କରି ନବୀନବାବୁ ଓଡ଼ିଶାବାସୀଙ୍କୁ କି ବାର୍ତ୍ତା ଦେବା ପାଇଁ ଚାହୁଛନ୍ତି? ସାରା ଓଡ଼ିଶାରେ ଚାଷୀଭାଇ ମାନଙ୍କର କଥିତ ଆତ୍ମହତ୍ୟା ଘଟଣାଗୁଡ଼ିକୁ ନେଇ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଉଥିବା ବେଳେ ନବୀନବାବୁଙ୍କର ଏହି ସମାବେଶ କ’ଣ ପ୍ରମାଣ କରୁଛି? ରାଜନୈତିକ ଦଳମାନେ ନିଜ ପଛରେ ଥିବା ଜନାଧାରକୁ ଦେଖାଇବା ସଙ୍ଗେ ସଙ୍ଗେ ସମାବେଶ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥାନ୍ତି, ମାତ୍ର ଦେଢ଼ବର୍ଷ ତଳେ ବିପୁଳ ଭୋଟ ପାଇ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିଥିବା ବିଜୁ ଜନତା ଦଳ କ’ଣ ତାର ଜନସମର୍ଥନ ହରାଉଛି? ବିରୋଧୀ ଦଳମାନେ ସ୍ଵାଭାବିକ ଭାବରେ କ୍ଷମତାସୀନ ଦଳର ବିରୋଧ କରିଥା’ନ୍ତି। କିନ୍ତୁ ବିଜୁ ଜନତା ଦଳର ସାଂସଦ, ମନ୍ତ୍ରୀ ଓ ବିଧାୟକମାନେ ଯେଭଳି ଭିନ୍ନ ଭିନ୍ନ ସ୍ଵରରେ ଚାଷୀଙ୍କର ସମସ୍ୟା ସଂପର୍କରେ ନିଜ ନିଜର ମତ ରଖିଲେଣି, ତାହା ଏ ସମାବେଶର ଅସଲ ଉଦ୍ଦେଶ୍ୟ ନେଇ ସନ୍ଦେହ ସୃଷ୍ଟି କରୁଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆଭିମୁଖ୍ୟ ଏ ସନ୍ଦେହକୁ ଆହୁରି ଘନୀଭୂତ କରୁଛି। ନିର୍ବାଚନ ପୂର୍ବ ଓ ପରର ବିଭିନ୍ନ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ହୋଇ ଯାଉଛି। ଫାଇଲିନ୍ ଓ ହୁଡ଼୍ହୁଡ଼୍ର ବିପର୍ଯୟ ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ସେଭଳି ଦୁଃସ୍ଥିତି ସମୟରେ ତାଙ୍କର ଜନ୍ମଦିନ ପାଳନ କରିବାକୁ ବାରଣ କରିଥିଲେ। କିନ୍ତୁ ଏ ବର୍ଷର ମରୁଡ଼ି ଜନିତ ଦୁଃଖଦ ପରିସ୍ଥିତି ସତ୍ତ୍ୱେ ତାଙ୍କ ଦଳ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବରେ ନବୀନବାବୁଙ୍କର ଜନ୍ମଦିନ ପାଳିବାକୁ ସଂକୋଚ କଲେ ନାହିଁ କି ନବୀନବାବୁ ନିଜ ତରଫରୁ ତାହାକୁ ବାରଣ କରିବାକୁ ଉଚିତ ମଣିଲେ ନାହିଁ; ବରଂ ଏହାକୁ ଉପଭୋଗ କଲା ପରି ମନେହେଲେ। ଆଜିର ସୋହେଲା ରାଲି ପରେ ପୁଣି ଆସନ୍ତା ୨୩ ତାରିଖରେ ଯୁବ ଛାତ୍ର-ଛାତ୍ରୀମାନଙ୍କର ଆଉ ଏକ ସମାବେଶର ଆୟୋଜନ କରାଯାଉଛି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ମନେ ହେଉଛି ଓଡ଼ିଶାର ସବୁ ସମସ୍ୟା ପାଇଁ ନବୀନବାବୁ ଏକ ନୂତନ କୌଶଳ ଉଦ୍ଭାବନ କରିଛନ୍ତି। ପୂର୍ବରୁ କେନ୍ଦ୍ରକୁ ଦାୟୀ କରିବା ତାଙ୍କର ଏକମାତ୍ର କୌଶଳ ଥିଲା। ଏବେ ସମାବେଶ କରିବା ଆଉ ଏକ କୌଶଳ ହୋଇଛି। ଲକ୍ଷାଧିକ ଲୋକଙ୍କର ସମାବେଶରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ। ଏ ଟଙ୍କା ଆସୁଛି କେଉଁଠୁ? ଦେଉଛି କିଏ? ବିଜୁ ଜନତା ଦଳ ନିଶ୍ଚିତ ଭାବେ ଏକ ବିତ୍ତଶାଳୀ ଦଳ। କିନ୍ତୁ ଏ ଅର୍ଥକୁ ଏପରି ଭାବେ ବିନର୍ବ୍ୟୟ ନ କରି ପୀଡ଼ିତ ଚାଷୀଙ୍କ ପରିବାର ପାଇଁ ବ୍ୟୟ କରିଥିଲେ କଣ ଅଧିକ ପ୍ରାସଙ୍ଗିକ ହୋଇ ନଥା’ନ୍ତା?
ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ପ୍ରଶାସନ ଓ ଲୋକପ୍ରତିନିଧିମାନଙ୍କର ମତ ଓ ମନ୍ତବ୍ୟ ଆମକୁ ଆହୁରି ବ୍ୟଥିତ କରୁଛି। ଶତାଧିକ ଚାଷୀଙ୍କ ଆତ୍ମହତ୍ୟାକୁ ପ୍ରଶାସନ ଏବେବି ମାନିବାକୁ ରାଜି ନୁହେଁ। ବିଭିନ୍ନ ଅଞ୍ଚଳକୁ ଯାଇ ବିଭାଗୀୟ ମନ୍ତ୍ରୀ ଯେଭଳି ମତ, ମନ୍ତବ୍ୟ ଦେଇ ହଟହଟା ହୋଇଛନ୍ତି ତାହା ଏକ ଯାତ୍ରା ପାର୍ଟିର ଖଳନାୟକଠାରୁ କୌଣସି ଗୁଣରେ କମ୍ ନୁହେଁ। ବିଜୁ ଜନତା ଦଳର ନେତୃମଣ୍ଡଳୀ ଚାଷୀଭାଇମାନଙ୍କର ଏଭଳି ଏକ ଦୁର୍ଦ୍ଦିନରେ ତାଙ୍କର ସମସ୍ୟାକୁ ବୁଝି ସହାନୁଭୂତି ଦେଖାଇବା ସହିତ ସମାଧାନର ବାଟ ବାହାର କରିବା ପରିବର୍ତ୍ତେ ଯେଭଳି ତାଚ୍ଛଲ୍ୟପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି, ତାହା ଆମକୁ ଆହୁରି ଅଧିକ ବ୍ୟଥିତ କରୁଛି। ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ଅମର ଲଡ଼ୁକୁ କିପରି ଗ୍ରହଣ କରାଯିବ ଆମେ ଜାଣିପାରୁ ନାହୁଁ। ଆମ ବିଚାରରେ ନବୀନବାବୁ ଏବଂ ବିଜୁ ଜନତା ଦଳର ଅଧିକାଂଶ ନେତା ବିଚାର ବିଭ୍ରାଟର ଶିକାର ହୋଇଛନ୍ତି। ଗତ ନିର୍ବାଚନର ଅଭୂତପୂର୍ବ ସଫଳତା ସେମାନଙ୍କୁ ଏତେ ପରିମାଣରେ ଅହଂକାରୀ କରିଛି ଯେ ସେମାନେ କୌଣସି ପ୍ରସଙ୍ଗକୁ ସିଧାସଳଖ ବିଚାର କରି ବୁଝିବା ଅବସ୍ଥାରେ ନାହାନ୍ତି। ତା’ ନ ହୋଇଥିଲେ ଦଳର ମୁଖପାତ୍ରମାନେ ବିରୋଧୀଦଳମାନଙ୍କର ସମାଲୋଚନାକୁ ରାଜନୀତି ବୋଲି କହି ଏଡ଼ାଇ ଯାଆନ୍ତେ ନାହିଁ। ରାଜନୈତିକ ଦଳମାନେ ରାଜନୀତି କରିବେ ନାହିଁ ତ ଆଉ କ’ଣ କରିବେ? କ୍ଷମତାସୀନ ରାଜନୈତିକ ଦଳ ରାଜନୀତିକୁ ଏଭଳି ଛୋଟ କରି ଦେଖୁଛନ୍ତି କାହିଁକି?
ଚାଷୀ ଆତ୍ମହତ୍ୟା ସଂପର୍କରେ ପ୍ରଶାସନ ଓ ସରକାରୀ ଦଳର ମତ ହେଉଛି ସେମାନେ ଚାଷୀ ନୁହନ୍ତି; ସେମାନଙ୍କର ମୃତ୍ୟୁ ସହିତ ଚାଷର କିଛି ସଂପର୍କ ନାହିଁ; ତେଣୁ ତାକୁ ଚାଷୀ-ଆତ୍ମହତ୍ୟାର ରୂପ ଦେବା ଉଚିତ ନୁହେଁ। କିନ୍ତୁ ଗୋଟିଏ ରାଜ୍ୟରେ ମହାମାରୀ ଭଳି ଶତାଧିକ ଲୋକଙ୍କର ମୃତ୍ୟୁକୁ ସରକାର ଏଭଳି ହାଲୁକା ଭାବେ ଗ୍ରହଣ କରିବା ଆଦୌ ଗ୍ରହଣୀୟ ନୁହେଁ। ସାଧାରଣ ନାଗରିକର ଧନ ଓ ଜୀବନକୁ ରକ୍ଷା କରିବା ଗୋଟିଏ ରାଷ୍ଟ୍ରର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। ଆତ୍ମହତ୍ୟାକୁ ଅସ୍ଵୀକାର କଲେ ବି ଏଭଳି ଅସ୍ଵାଭାବିକ ମୃତ୍ୟୁକୁ ସରକାର କ’ଣ କହି ଏଡ଼ାଇବେ?
ଆଜିର ସମାବେଶରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନେକଗୁଡ଼ିଏ ପ୍ୟାକେଜ୍ ଘୋଷଣା କରିବେ। କୃଷି ଓ କୃଷକଙ୍କ ପାଇଁ ତାଙ୍କ ସରକାରର କେତେ ଦରଦ ଅଛି ତାହା ଗଳା ଫଟାଇ ସବୁ ନେତା କହିବେ। ଆମ ବିଚାରରେ ଏଗୁଡ଼ିକୁ ଅହଂକାର ଲଡ଼ୁ ବୋଲି କହିଲେ ଅଧିକ ପ୍ରାସଙ୍ଗିକ ହେବ। ଏ ‘ଅହଂକାର ଲଡ଼ୁ’ ଚାଷୀଙ୍କ ସମସ୍ୟାର ସମାଧାନ କରିବ ନାହିଁ?